Categories: ଖେଳ

ଦିନେ ପଡିଆରେ କ୍ୟାମେରା ଅପରେଟର ଭାବେ କାର୍ଯ୍ୟ କରୁଥିଲେ, ଏବେ ଅଷ୍ଟ୍ରେଲିଆ ପକ୍ଷରୁ ଖେଳିବେ ଆସେସ୍‌ ସିରିଜ୍‌

ସିଡନୀ, ୩୦।୯: କୁହାଯାଏ, ସମୟ କେତେବେଳେ କାହାକୁ କୋଉଠି ନେଇ ପହଞ୍ଚାଏ ତାହା କହିବା ମୁସ୍କିଲ। ସେମିତି ଏକ ଘଟଣା ଘଟିଛି ଅଷ୍ଟ୍ରେଲିଆରେ। ୯ ବର୍ଷ ପୂର୍ବରୁ ଏକ ଚ୍ୟାନେଲ ପାଇଁ ପଡିଆରେ କ୍ୟାମେରା ଅପରେଟର ଭାବେ କାର୍ଯ୍ୟ କରୁଥିବା ମାର୍ନସ ଲାବୁସାନେଙ୍କୁ ଆଗାମୀ ଆସେସ୍‌ ସିରିଜ୍‌ ପାଇଁ ଅଷ୍ଟ୍ରେଲିଆ ଦଳରେ ସାମିଲ କରାଯାଇଛି। ୯ ବର୍ଷ ପୂର୍ବେ ଆସେସ୍‌ ସିରିଜ୍‌ର ଏକ ମ୍ୟାଚ ବ୍ରିସ୍‌ବେନ୍‌ରେ ଖେଳାଯାଉଥିଲା। ଅଷ୍ଟ୍ରେଲିଆ ବୋଲର ପିଟର ସିଡଲ୍‌ ହ୍ୟାଟ୍ରିକ୍‌ ନେଇଥିବା ଏହି ମ୍ୟାଚ୍‌ରେ ଚ୍ୟାନେଲ୍‌-୯ ପକ୍ଷରୁ କ୍ୟାମେରା ଅପରେଟର ଦାୟିତ୍ୱ ତୁଲାଇଥିଲେ ମାର୍ନସ। ସେତେବେଳେ ସେ କେବେ ବି ଭାବି ନ ଥିଲେ ଦିନେ ତାଙ୍କୁ ଅଷ୍ଟ୍ରେଲିଆ ଆସେସ୍‌ ଦଳରେ ସାମିଲ କରାଯିବ। ଗ୍ଲେମାର୍ଗନ ପକ୍ଷରୁ କାଉଣ୍ଟି ଖେଳୁଥିବା ମାର୍ନସ ଏକ ହଜାରରୁ ଅଧିକ ରନ୍‌ କରିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ୫ଟି ଟେଷ୍ଟ ଖେଳି ସେ ୨୧୦ରନ୍‌ କରିଛନ୍ତି। ସେହିପରି ୬୦ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳି ୩୯୨୬ରନ୍‌ କରିଛନ୍ତି। କ୍ରିକେଟ ଖେଳିବା ସହ ଜଣାଶୁଣା କ୍ରିକେଟରଙ୍କ ବ୍ୟାଟ୍‌ ସଂଗ୍ରହ କରିବା ତାଙ୍କ ଆଉ ଏକ ସଉକ ବୋଲି କହନ୍ତି ମାର୍ନସ।

Share