Categories: ଖେଳ

ଦିନେ ପ୍ରାକ୍ଟିସ୍‌ କରିବାକୁ ଏହି ଖେଳାଳିଙ୍କ ପାଖରେ ଜୋତା ନ ଥିଲା, କଟକରେ ଦେଖାଇଲେ ଜଲଓ୍ବା

କଟକର ବାରବାଟୀ ଷ୍ଟାଡିୟମ୍‌ ଯୁବ ବୋଲର ନବଦୀପ ସଇନୀଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛି। ୨୭ ବର୍ଷୀୟ ସଇନି ୨୨୯ତମ ଭାରତୀୟ ଖେଳାଳି ଭାବେ ବାରବାଟୀରେ ଦିନିକିଆ ପଦାର୍ପଣ କରିଥିଲେ। ହରିୟାଣାର କର୍ନଲରେ ଜନ୍ମଗ୍ରହଣ କରିଥିବା ନବଦୀପ ଭାରତୀୟ ଟିମ୍‌ ପାଇଁ ଖେଳିବାକୁ ବହୁ ସଂଘର୍ଷ କରିଛନ୍ତି। ଦିନେ ମ୍ୟାଚ୍‌ ପିଛା ୨୦୦ ଟଙ୍କା ପାଉଥିବା ସଇନୀ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ୧୦ ଓଭରରେ ୫୮ ରନ୍‌ ଦେଇ ଦୁଇଟି ମୂଲ୍ୟବାନ ଉଇକେଟ ନେଇ ନିଜ କ୍ରୀଡ଼ା ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ଚଳିତ ବର୍ଷ ଅଗଷ୍ଟ ୩ ତାରିଖରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ରେ ପଦାର୍ପଣ କରିଥିଲେ। ସଇନୀ ୨୦୧୩ରୁ ଦିଲ୍ଲୀରୁ ଘରୋଇ କ୍ରିକେଟ ଖେଳିଆସୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ହିଁ ପ୍ରଥମେ ତାଙ୍କ ପ୍ରତିଭାକୁ ଚିହ୍ନଟ କରିଥିଲେ। ଏପରି କି ତାଙ୍କୁ ପ୍ରାକ୍ଟିସ୍‌ ପାଇଁ ଦୁଇହଳ ଜୋତା ମଧ୍ୟ ଯୋଗାଇ ଦେଇଥିଲେ। ତାଙ୍କ ପ୍ରୋତ୍ସାହନ ଏବଂ ସମର୍ଥନରେ ହିଁ ସଇନୀ ଆଜି ଏହି ସ୍ଥିତିରେ ପହଞ୍ଚିଛନ୍ତି। ନବଦୀପ ଘଣ୍ଟା ପ୍ରତି ୧୪୦ କିଲୋମିଟର ବେଗରେ ବୋଲିଂ କରିବାକୁ ସକ୍ଷମ ଥିବାବେଳେ ଆଇପିଏଲ-୨୦୧୯ରେ ନିଜ ବୋଲିଂ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିପାରିଥିଲେ। ଆର୍‌ସିବି(ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର) ପକ୍ଷରୁ ଖେଳୁଥିବା ନବଦୀପ ସମୁଦାୟ ୧୩ ମ୍ୟାଚ୍‌ରୁ ୧୧ଟି ଉଇକେଟ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ।

Share