Categories: ଖେଳ

ଦିନେ ପ୍ରେମିକାଙ୍କୁ ମାଡ ମାରି ଏମିତି ଅବସ୍ଥା କରିଥିଲେ, ଏବେ ମିଳିଲା ‘ନାଇଟ୍‌ହୁଡ୍‌’ ଉପାଧି

କିମ୍ବଦନ୍ତୀ ଇଂଲଣ୍ଡ କ୍ରିକେଟ ଖେଳାଳି ଜେଫ୍ରି ବୟକଟ ଓ ଆଣ୍ଡ୍ରିଉ ଷ୍ଟ୍ରସଙ୍କୁ ସମ୍ମାନଜନକ ନାଇଟ୍‌ହୁଡ ଉପାଧିରେ ସମ୍ମାନିତ କରାଯାଇଛି। ତେବେ ଜେଫ୍ରି ବୟକଟଙ୍କୁ ‘ନାଇଟ୍‌ହୁଡ’ ସମ୍ମାନରେ ଦିଆଯିବାକୁ ନେଇ ପ୍ରଶ୍ନ ଉଠିଛି। ୧୯୯୮ରେ ଫ୍ରାନ୍ସରେ ନିଜ ଗର୍ଲଫ୍ରେଣ୍ଡ୍‌ ମାରଗ୍ରେଟ୍‌ ମୁର୍‌କୁ ମାଡ ମାରିବା ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୧୦ ଲକ୍ଷ ପାଉଣ୍ଡ୍‌ ଜରିମାନା ତାଙ୍କ ଉପରେ ଲାଗିଥିଲା। ଏଭଳି ବ୍ୟକ୍ତିଙ୍କୁ ‘ନାଇଟ୍‌ହୁଡ’ ଉପାଧି ଦିଆଯିବା ଆଦୌ ଉଚିତ୍‌ ନ ଥିଲା ବୋଲି ଇଂଲଣ୍ଡର କିଛି ଏମ୍‌ପି କହିଛନ୍ତି। କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ଜେଫ୍ରି ବୟକଟ୍‌। ସେ କହିଛନ୍ତି, ସେ ଘଟଣା ୨୫ ବର୍ଷ ପୁରୁଣା। ଆଜି ବି ତାକୁ ମୁଁ ପଶ୍ଚାତାପ କରୁନି। କ୍ରିକେଟରେ ଯୋଗଦାନ ପାଇଁ ମୋତେ ଏହି ଉପାଧି ମିଳିଛି। ତେଣୁ ଏହାକୁ ନେଇ ପ୍ରଶ୍ନ ଉଠାଇବା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କ୍ରିକେଟକୁ ଉଲ୍ଲେଖନୀୟ ଅବଦାନ ଲାଗି ୟୁନାଇଟେଡ କିଙ୍ଗଡମର ପୂର୍ବତନ ପ୍ରଧାନମନ୍ତ୍ରୀ ଥେରେସା ମେ ବୟକଟଙ୍କୁ ଏହି ଉପାଧି ପ୍ରଦାନ କରିଥିଲେ। ୭୮ ବର୍ଷୀୟ ବୟକଟ ୧୯୬୪ରୁ ୧୯୮୨ ମଧ୍ୟରେ ୧୦୮ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ପକ୍ଷରୁ ପ୍ରତିନିଧିତ୍ୱ କରି ୪୭.୭୨ ଆଭରେଜରେ ୮,୧୧୪ ରନ ସଂଗ୍ରହ କରିଛନ୍ତି। ସେହିଭଳି ପ୍ରଥମ ଶ୍ରେଣୀ କ୍ରିକେଟରେ ବୟକଟଙ୍କ ନାମରେ ୧୫୧ ଶତକ ସହ ୪୮ ହଜାରରୁ ଊର୍ଦ୍ଧ୍ୱ ରନ ରହିଛି। ୧୯୭୮ରେ ମଧ୍ୟ ବୟକଟ ଇଂଲଣ୍ଡ ଦଳର ନେତୃତ୍ୱ ନେବାର ସୁଯୋଗ ପାଇଥିଲେ। ଅବସର ପରେ ସେ ବୟକଟ କ୍ରିକେଟ ଭାଷ୍ୟକାର ଭାବେ ବେଶ ଚର୍ଚ୍ଚିତ ହୋଇଥିଲେ।

Share