Categories: ଖେଳ

ଦିନେ ବିକୁଥିଲେ ଗୁପ୍‌ଚୁପ୍‌, ଆଇପିଏଲରେ ୨.୪୦କୋଟି ଟଙ୍କାରେ ବିକ୍ରି ହେଲେ ଏହି ଖେଳାଳି

ମୁମ୍ବାଇ,୨୦।୧୨: ମୁମ୍ବାଇର ୧୭ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍‌ ଯଶସ୍ବୀ ଜଇସ୍ବାଲ୍‌ ଆଇପିଏଲରେ ୨.୪୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ତାଙ୍କୁ ରାଜସ୍ଥାନ ରୟାଲ୍ସ ପକ୍ଷରୁ ନିଆଯାଇଛି। ଜଇସ୍ବାଲ୍‌ ବାମହାତୀ ବ୍ୟାଟ୍ସମ୍ୟାନ୍‌ ଏବଂ ଡାହାଣହାତୀ ସ୍ପିନ୍‌ ବୋଲର୍‌ ଭାବେ ନିଜ ପ୍ରତିଭା ଦେଖାଇସାରିଛନ୍ତି। ଯଶସ୍ବୀଙ୍କ କାହାଣୀ ବେଶ୍‌ ସଂଘର୍ଷପୂର୍ଣ୍ଣ ଥିଲା। ଖୁବ କମ ବୟସରୁ କ୍ରିକେଟ ଖେଳିବାର ସ୍ବପ୍ନ ନେଇ ଘର ଛାଡି ଉତ୍ତର ପ୍ରଦେଶରୁ ମୁମ୍ବାଇ ଚାଲିଆସିଥିଲେ। ଏଠାରେ ଦାଦାଙ୍କ ଭଡା ଘରେ ରହି କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ମାସକୁ ମାସ ତାଙ୍କ ବାପା କିଛି ଟଙ୍କା ପଠାନ୍ତି। କିନ୍ତୁ ସେଥିରେ ଟ୍ରେନିଂ ନେବା ସମ୍ଭବ ନ ଥିଲା। ଆଜାଦ ମୈଦାନରେ ରାମଲୀଳା ଚାଲିଥିବାବେଳେ ସେଠାରେ ଗୁପଚୁପ ବିକ୍ରି କରୁଥିଲେ ଯଶସ୍ବୀ। ଏଥିରେ ଯାହା କିଛି ଲାଭ ମିଳୁଥିଲା ସେଥିରେ କ୍ରିକେଟ ଟ୍ରେନିଂ ନେବା ଆରମ୍ଭ କଲେ। ସେଠାରେ କୋଚ ଜ୍ୱାଲା ସିଂଙ୍କ ସହ ଭେଟ ହୋଇଥିଲା। ଏହାପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଯାଇଥିଲା। କ୍ରିକେଟରେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢିଚାଲିଲେ। ଯଶସ୍ବୀଙ୍କର ଭାରତୀୟ ଅଣ୍ଡର-୧୯ ଦଳ ପାଇଁ ଚୟନ ହୋଇଥିଲା। ଚଳିତବର୍ଷ ବିଜୟ ହଜାରେ ଟ୍ରଫିରେ ସେ ଦ୍ୱିଶତକ ଅର୍ଜନ କରିଥିଲେ।

Share