ଦିନେ ବିମାନ ଟିକେଟ ପାଇଁ ନେଇଥିଲେ ଉଧାର: ଏବେ ଗୁଗଲ, ଆଲ୍ଫାବେଟ୍‌ର ସିଇଓ

ଓ୍ବାଶିଂଟନ,୪।୧୨: ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଭାବରେ ଜଣାଶୁଣା ‘ଗୁଗଲ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇଙ୍କୁ ଆଉ ଏକ ଦାୟିତ୍ୱ ମିଳିଛି। ତାଙ୍କୁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟ୍‌ର ସିଇଓ ନିଯୁକ୍ତ କରାଯାଇଛି। ସର୍ଗେ ବ୍ରିନ୍‌ଙ୍କଠାରୁ ସେ ଏହି ଦାୟିତ୍ୱ ନେଇଛନ୍ତି। ତାମିଲନାଡୁର ମଦୁରାଇଠାରେ ୧୯୭୨ ଜୁଲାଇ ୧୨ରେ ଜନ୍ମ ହୋଇଥିଲେ ସୁନ୍ଦର ପିଚାଇ। ତାଙ୍କର ସ୍କୁଲ ଓ କଲେଜ ଶିକ୍ଷା ଚେନ୍ନାଇରେ ହୋଇଥିଲା। ସେଠାରେ ଦୁଇ ବଖରା ଘରେ ତାଙ୍କୁ ରହିବାକୁ ପଡୁଥିଲା। ଏପରି କି ସେଠାରେ ଟିଭ କିମ୍ବା ଟେଲିଫୋନ ମଧ୍ୟ ନ ଥିଲା। କଠିନ ପରିଶ୍ରମ କରି ସେ ଖଡଗପୁର ଆଇଆଇଟିରେ ବିଟେକ ପଢ଼ିବାର ସୁଯୋଗ ପାଇଥିଲେ। ତାଙ୍କୁ ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ସ୍କଲାରଶିପ୍‌ ମିଳିଥିଲା। ସେ ସମୟରେ ତାଙ୍କ ଘରର ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥିଲା। ଏପରି କି ବିଦେଶରେ ପଢିବା ପାଇଁ ବିମାନ ଟିକେଟ କରିବାକୁ ମଧ୍ୟ ଟଙ୍କା ନ ଥିଲା। ସେ ଉଧାର କରି ପଢିବାକୁ ଯାଇଥିଲେ। ୨୦୦୪, ଏପ୍ରିଲ ୧ରେ ପ୍ରଥମଥର ଗୁଗଲ ପାଇଁ ଇଣ୍ଟରଭ୍ୟୁ ଦେଇଥିଲେ ସୁନ୍ଦର ପିଚାଇ। ପ୍ରଥମ ୩ଟି ଇଣ୍ଟରଭ୍ୟୁରେ ଫେଲ୍‌ ହୋଇଥିଲେ ମଧ୍ୟ ଚତୁର୍ଥ ଇଣ୍ଟରଭ୍ୟୁ ପାସ୍‌ କରି ଗୁଗଲରେ ସେ ଚାକିରି ପାଇଥିଲେ।

Share