Categories: ଖେଳ

ଦିବାରାତ୍ର ଟେଷ୍ଟ: ୭୨ ଏସ୍‌ଜି ପିଙ୍କ୍‌ ବଲ୍‌ ପାଇଁ ବିସିସିଆଇର ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୧।୧୦(ପ.ଟି.)- ଆସନ୍ତା ୨୨ ତାରିଖରୁ କୋଲକାତାର ଐତିହାସିକ ଇଡେନ ଗାର୍ଡେନରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। ପ୍ରଥମଥର ପାଇଁ ଭାରତ ଦିବାରାତ୍ର ଟେଷ୍ଟ ଖେଳିବାକୁ ଯାଉଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ମ୍ୟାଚ୍‌ ଲାଗି ୭୨ଟି ପିଙ୍କ୍‌ ବଲ୍‌ ଲୋଡିଛି। ଏଥିପାଇଁ ବିସିସିଆଇ ବଲ୍‌ ଉତ୍ପାଦକ କମ୍ପାନୀ ଏସ୍‌ଜିକୁ ଏହି ବଲ୍‌ ଦେବା ପାଇଁ ନିର୍ଦ୍ଦେଶ ଦେଇଛି।
ପୂର୍ବରୁ ନବନିର୍ବାଚିତ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏହି ଦିବାରାତ୍ର ଟେଷ୍ଟରେ ଏସ୍‌ଜି ପିଙ୍କ୍‌ ବଲ୍‌ ବ୍ୟବହାର କରାଯିବ ବୋଲି ସ୍ପଷ୍ଟ କରିଥିଲେ। ଫ୍ଲଡ ଲାଇଟ୍‌ ତଳେ ଟେଷ୍ଟ ମ୍ୟାଚ୍‌ ପାଇଁ ଏକ ଉପଯୋଗୀ ପିଙ୍କ୍‌ ବଲ୍‌ ପ୍ରସ୍ତୁତ କରିବା ଏସ୍‌ଜି ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ। ଏପର୍ଯ୍ୟନ୍ତ ଏସ୍‌ଜିର ପିଙ୍କ୍‌ ବଲ୍‌ କୌଣସି କମ୍ପିଟିଟିଭ୍‌ ମ୍ୟାଚ୍‌ରେ ଖେଳାଯାଇ ନାହି ଓ ଏହାର ମାନର ପରୀକ୍ଷା ମଧ୍ୟ ହୋଇନାହିଁ। ପୂର୍ବରୁ ଦୁଲିପ୍‌ ଟ୍ରଫି କୁକାବୁରା ପିଙ୍କ୍‌ ବଲ୍‌ରେ ୩ଟି ସେସନ ପାଇଁ ଖେଳାଯାଇଥିଲା। ତେବେ ଏଥିରେ ଏସ୍‌ଜି ବଲ୍‌ ବ୍ୟବହୃତ ହୋଇ ନ ଥିଲା।
ବିସିସିଆଇ ୬ ଡଜନ ପିଙ୍କ୍‌ ବଲ୍‌ ଦେବା ପାଇଁ ନିର୍ଦ୍ଦେଶ ଦେଇଛି। ଆସନ୍ତା ସପ୍ତାହର ମଧ୍ୟଭାଗରେ ଆମେ ଏହି ବଲ୍‌ ପ୍ରଦାନ କରିବୁ ବୋଲି ଏସ୍‌ଜି କମ୍ପାନୀ ସେଲ୍ସ ଆଣ୍ଡ ମାର୍କେଟିଂ ଡାଇରେକ୍ଟର ପାରସ ଆନନ୍ଦ କହିଛନ୍ତି। ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ନାଲି ଏସ୍‌ଜି ବଲ୍‌ର ଆମେ ଯଥେଷ୍ଟ ଉନ୍ନତି ଆଣିବାରେ ସକ୍ଷମ ହୋଇଥିଲୁ। ଏବେ ପିଙ୍କ୍‌ ବଲ୍‌ ପାଇଁ ଆମେ ରିସର୍ଚ୍ଚ କରିଛୁ ବୋଲି ପାରସ କହିଛନ୍ତି।
ଉଲ୍ଲେଖଥାଉ କି, ଗତ ଘରୋଇ ସେସନରେ ବିରାଟ କୋହଲିଙ୍କ ସମେତ କେତେକ ଭାରତୀୟ ଖେଳାଳି ଏସ୍‌ଜି ନାଲି ବଲ୍‌କୁ ନିମ୍ନ ମାନର ବୋଲି କହି ସମାଲୋଚନା କରିଥିଲେ। ଏହି ବଲ୍‌ ଇଂଲଣ୍ଡରେ ଖେଳାଯାଉଥିବା ଡ୍ୟୁକ ଓ ଅଷ୍ଟ୍ରେଲିଆରେ ଖେଳାଯାଉଥିବା କୁକାବୁରା ବଲ୍‌ ତୁଳନାରେ ଶୀଘ୍ର ଖରାପ ହେଉଯାଉଥିବାର ଅଭିଯୋଗ ହେଉଥିଲା। ଚଳିତ ସେସନରେ ଅବଶ୍ୟ କୋହଲି ବଲ୍‌ରେ ଉନ୍ନତି ହୋଇଥିବା କହିଛନ୍ତି। ତେବେ ବଲ୍‌ ଅତିକମ୍‌ରେ ୬୦ ଓଭର ତିଷ୍ଠି ରହିବା ଆବଶ୍ୟକ ବୋଲି ସେ କହିଥିଲେ।
ଏବେ ପିଙ୍କ୍‌ ବଲ୍‌ ଟେଷ୍ଟ ଆୟୋଜନ ହେଉଛି। ତେଣୁ ଆମେ ୨୦୧୬-୧୭ ସେସନରୁ ଉନ୍ନତ ମାନର ପିଙ୍କ୍‌ ବଲ୍‌ ପ୍ରସ୍ତୁତ ନେଇ କାର୍ଯ୍ୟ ଆରମ୍ଭ କରିଛୁ ବୋଲି ପାରସ କହିଛନ୍ତି। ନାଲି ବଲ୍‌ ତୁଳନାରେ ପିଙ୍କ୍‌ ବଲ୍‌ ଅଧିକ ଧୂଳି ଧରିଥାଏ। ଫଳରେ ଏହା ଶୀଘ୍ର ଖରାପ୍‌ ହୋଇଥାଏ। କମ୍‌ ସମୟରେ ଆମେ ଭଲ ରେଡ ବଲ୍‌ ପ୍ରସ୍ତୁତ କରିଛୁ। ତେଣୁ ପିଙ୍କ୍‌ ବଲ୍‌ ବି ଠିକ୍‌ ସମୟରେ ପ୍ରସ୍ତୁତ କରିବୁ ବୋଲି ସେ କହିଛନ୍ତି।

Share