ଦିବ୍ୟସିଂହପୁରରେ ଭିନ୍ନ ପରମ୍ପରା: ଗୋଟିଏ ଦିନ ପରେ ଶିବପାର୍ବତୀଙ୍କ ବିବାହ ସମ୍ପନ୍ନ

ଛତ୍ରପୁର, ୨୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବଉଳଗାଁ ପଞ୍ଚାୟତ ଦିବ୍ୟସିଂହପୁର ଗାଁରେ ଶିବପାର୍ବତୀଙ୍କ ବିବାହର ଏକ ଭିନ୍ନ ପରମ୍ପରା ରହିଛି। ଏଠାରେ ନିର୍ଦ୍ଧାରିତ ଦିନକ ପରେ ଶିବପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଥାଏ। ତେଣୁ ସବୁଆଡେ ଗୁରୁବାର ଶିବପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଥିବା ବେଳେ ଶୁକ୍ରବାର ଏଠାରେ ବିବାହ ହୋଇଛି। ଏହି ପରିପ୍ରେକ୍ଷୀରେ ଗୋଧୂଳି ଲଗ୍ନରେ କନ୍ୟା ବିଦାୟ ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ଦେବଦମ୍ପତି ନଗର ପରିକ୍ରମା କରି ଗ୍ରାମବାସୀଙ୍କୁ ଦର୍ଶନ ଦେଇଥିଲେ। ରାଧାଗୋବିନ୍ଦ ତ୍ରିପାଠୀ ବର ପିତା ଓ ବାସୁଦେବ ମିଶ୍ର କନ୍ୟା ପିତା ଭାବେ ଦାୟିତ୍ୱ ସମ୍ପର୍ଣ୍ଣ କରିଥିଲେ। ପୁରୋହିତ ପୂର୍ଣ୍ଣଚନ୍ଦ୍ର ଶତପଥି ବିବାହ କାର୍ଯ୍ୟ କରିଥିଲେ। ନଗର ପରିକ୍ରମା ପରେ ଅସ୍ଥାୟୀ ମଣ୍ଡପରେ ଶିବପାର୍ବତୀ ଆରୂଢ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ରାତିରେ ନିଜସ୍ବ ମନ୍ଦିରକୁ ଫେରିବାର କାର୍ଯ୍ୟକ୍ରମ ରହିଛି।