ଦିବ୍ୟାଙ୍ଗଙ୍କୁ ବିଭିନ୍ନ ଉପକରଣ ପ୍ରଦାନ

ଡୁବୁରୀ,୨୬।୯(ଡି.ଏନ୍‌.ଏ.): ଟାଟା ଷ୍ଟିଲ ପକ୍ଷରୁ ବୁଧବାର କଳିଙ୍ଗନଗର ଅଞ୍ଚଳର ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଛି। ଏ ନେଇ ଡୁବୁରୀସ୍ଥିତ କପିଳେଶ୍ୱର ମହାବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା, ସରକାରୀ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶସ୍ତୀକରଣ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଟାଟା ଷ୍ଟିଲର ଏପରି ଉଦ୍ୟମକୁ ପ୍ରଶଂସା କରିଥିବାବେଳେ ଏମ୍‌ଏଲ୍‌ଏ ଓ ଏମପି ଲ୍ୟାଡ୍‌ ଫଣ୍ଡରେ ଦିବ୍ୟାଙ୍ଗଙ୍କ ପାଇଁ ଅଧିକ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଥିବା ମନ୍ତ୍ରୀ ପଣ୍ଡା କହିଥିଲେ। ଏହି ଅବସରରେ ୪୩ ଜଣ ଦିବ୍ୟାଙ୍ଗଙ୍କୁ ମାନପତ୍ର ଓ ଉପକରଣ ପ୍ରଦାନ କରିଛନ୍ତି। ଏଥିସହ ୩୦ ଜଣଙ୍କୁ ଟ୍ରାଇ ସାଇକେଲ, ଆଶାବାଡି ଓ ଅନ୍ୟାନ୍ୟ ସାମଗ୍ରି ବଣ୍ଟନ କରିଥିଲେ। ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଯୋଗଦେଇ ଟାଟା ଷ୍ଟଲର ଏହି କାର୍ଯ୍ୟ କେବଳ କଳିଙ୍ଗନଗର ଅଞ୍ଚଳରେ ସୀମିତ ନ ରଖି ସୁକିନ୍ଦା ଓ ଦାନଗଦୀ ବ୍ଲକକୁ ସମ୍ପ୍ରସାରିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମ ପୂର୍ବରୁ ଯାଜପୁର ଜିଲା ସ୍ବାସ୍ଥ୍ୟ ବିଭାଗ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ନୀରତା ସହଯୋଗରେ ଏକ ଶିବିର ମାଧ୍ୟମରେ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଟାଟା ଷ୍ଟିଲ ପକ୍ଷରୁ ଚିହ୍ନଟ କରାଯାଇଥିଲା।

Share