ଦିବ୍ୟାଙ୍ଗଙ୍କ ପାଇଁ କୋଭିଡ୍‌ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା କର

ଭୁବନେଶ୍ୱର,୩୦।୪(ବ୍ୟୁରୋ): କରୋନା ମହାମାରୀର ପ୍ରକୋପକୁ ହ୍ରାସ କରିବା ପାଇଁ କୋଭିଡ୍‌ ହସ୍ପିଟାଲଗୁଡ଼ିକରେ ଏକାନ୍ତବାସ (ଆଇସୋଲେଶନ), ସଙ୍ଗରୋଧ କେନ୍ଦ୍ର(କ୍ୱାରାଣ୍ଟାଇନ ସେଣ୍ଟର), ନମୁନା ପରୀକ୍ଷା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଚିକିତ୍ସା ସୁବିଧା ରହିଛି। ଦିବ୍ୟାଙ୍ଗଙ୍କ ରୋଗ ପ୍ରତିରୋଧକ ଶକ୍ତି ଆବଶ୍ୟକତାଠାରୁ କମ୍‌ ରହିଥାଏ। ତେଣୁ କୋଭିଡ୍‌ ହସ୍ପିଟାଲଗୁଡ଼ିକରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାର ଅଭାବ ଯୋଗୁ ସେମାନେ ଆହୁରି ଅସୁବିଧାରେ ପଡ଼ିବା ସମ୍ଭାବନା ରହିଛି। ସେମାନଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ ଦିବ୍ୟାଙ୍ଗ ସଶକ୍ତୀକରଣ ବିଭାଗ ସଚିବ ଶକୁନ୍ତଳା ଡି. ଗାମ୍‌ଲିନ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମୁଖ୍ୟ ଶାସନସଚିବଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାରମାନେ ଦିବ୍ୟାଙ୍ଗଙ୍କ ପାଇଁ ଅଧିକ ଯତ୍ନବାନ ହେବା ସହ ଚକଲଗା ଗାଡ଼ି ବ୍ୟବହାର କରୁଥିବା ଦିବ୍ୟାଙ୍ଗଙ୍କୁ ହାତ ପାହାନ୍ତାରେ ସାନିଟାଇଜର, ସାବୁନ, ବେସିନ ଯୋଗାଇ ଦେବା ଦରକାର। ରେଲିଂ ସହ ର଼୍ୟାମ୍ପ ବ୍ୟବସ୍ଥା, ସରଳ ଓ ରେଖାଙ୍କିତ ପଦ୍ଧତିରେ ବିଭିନ୍ନ ଆବଶ୍ୟକ ସାମଗ୍ରୀର ଚିତ୍ର ରହିବା ସହ କମ୍‌ ଉଚ୍ଚତା ବିଶିଷ୍ଟ ରିସେପ୍ସନ୍‌ ଓ ଫାର୍ମାସୀ କାଉଣ୍ଟର, ଡାକବାଜି ଯନ୍ତ୍ର ଯୋଗେ ବିଭିନ୍ନ ସୂଚନା ଆଦି ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ଯଦି କାୈଣସି ମାନସିକ ରୋଗୀ କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିବେ ତାଙ୍କ ସହାୟକଙ୍କ ପାଇଁ ରୋଗୀଙ୍କ ପ୍ରକୋଷ୍ଠକୁ ଲାଗି ସ୍ବତନ୍ତ୍ର କ୍ୟାବିନ ବ୍ୟବସ୍ଥା କରିବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share