ଦିବ୍ୟାଙ୍ଗଙ୍କ ସହିତ ବଡ଼ଦିନ ପାଳିଲେ ବିଧାୟକ, କଣ୍ଠଶିଳ୍ପୀ

ବାଲିଆପାଳ,୨୬।୧୨(ସ୍ବ.ପ୍ର.)-ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ଓଲିଉଡ଼ର ପସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ଯୁବନେତା ରବୀନ୍ଦ୍ର ଅଣ୍ଡିଆ ଡଗରା ବେଳାଭୂମିରେ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ସହିତ ପବିତ୍ର ବଡ଼ଦିନ ପାଳନ କରିଛନ୍ତି। ଏହି ଅବସରରେ ଯୁବବ୍ୟବସାୟୀ ତଥା ଜିଲାପରିଷଦ ସଦସ୍ୟ ରବୀନ୍ଦ୍ର ଅଣ୍ଡିଆଙ୍କ ପକ୍ଷରୁ ଆୟୋଜିତ ବଣଭୋଜିରେ ମଦର ଟେରେସା ସେବା ସଂସ୍ଥାର ଦିବ୍ୟାଙ୍ଗ ଛାତ୍ରୀଛାତ୍ରମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ଛାତ୍ରୀଛାତ୍ରମାନଙ୍କୁ ସ୍ବାଦିଷ୍ଟଭୋଜନ ସାଙ୍ଗକୁ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା। ପିଲାମାନେ ପାଖରେ ବିଧାୟକ ଏବଂ କଣ୍ଠଶିଳ୍ପୀ ହ୍ୟୁମାନସାଗରଙ୍କୁ ପାଇ ବେଶ୍‌ ଉତ୍ସାହିତ ହୋଇଥିଲେ। ହ୍ୟୁମାନସାଗର ମଧ୍ୟ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ସହିତ ବହୁସମୟ କଟାଇବା ସହିତ ତାଙ୍କର ବହୁଲୋକପ୍ରୟ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମରେ ବିଜେଡି ବ୍ଲକ ସଭାପତି ଚକ୍ରଧର ଗିରି, ପୂର୍ବତନ ପ୍ରତାପୁର ସରପଞ୍ଚ ଅଜୟ ପାତ୍ର, ମହେଶ୍ୱର ଜେନା, ପୂର୍ବତନ ସମିତିସଦସ୍ୟ ମୃତ୍ୟୁଞ୍ଜୟ ନାୟକ, ଅସ୍ତି ସରପଞ୍ଚ ଶାନ୍ତନୁ ଭଦ୍ର, କୁମ୍ଭାରୀ ସରପଞ୍ଚ ଜୟନାରାୟଣ ମହାପାତ୍ର, ବିଜୟ ବେହେରା, ଯୁଗଳ କିଶୋର ପାତ୍ର, ହେମନ୍ତ ଦାସ, ଚନ୍ଦନ ଜେନା, ଲମ୍ବୁଧର ମାହାନା, ସଦାଶିବ ଦାସ ଓ ବାବୁଲି ଜେନା ପ୍ରମୁଖ ଯୋଗଦେଇଥିଲେ।