ଦିବ୍ୟାଙ୍ଗ ପ୍ରମାଣପତ୍ର ଥାଇ ମିଳୁନି ସୁବିଧା

ଫିରିଙ୍ଗିଆ,୧୧ା୯: ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଞ୍ଚାୟତ ପିଡିଆଗୁଡା ଗ୍ରାମର ଶଙ୍କର ବଗାର (୩୫)ଙ୍କ ଗୋଡ ଅଚଳ ା ଏଥିପାଇଁ ତାଙ୍କୁ ମିଳିଛି ଦିବ୍ୟାଙ୍ଗ ପ୍ରମାଣପତ୍ର। ହେଲେ ସରକାରୀ ସୁବିଧା ମିଳୁନାହିଁ ା ଚାଉଳ, ଭତ୍ତା କି ଆବାସ ଯୋଜନାରେ ଘର ଖଣ୍ଡେ ବି ପାଇନାହାନ୍ତି ଶଙ୍କର। ସହାୟତା ପାଇଁ ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡି ନୟାନ୍ତ ହେଲେଣି। ପରିବାର ଚଳାଇବା ତାଙ୍କପକ୍ଷେ କଷ୍ଟକର ହୋଇପଡିଛି ା ସେ ପିଲାବେଳୁ ଠିକ୍‌ ଥିଲେ ା ବାହାଘର ସରି ତାଙ୍କର ଗୋଟିଏ ଝିଅ ଅଛି ା ଗତ ୨ ବର୍ଷ ତଳେ ହଠାତ ଡାହାଣ ଆଣ୍ଠୁ ବ୍ୟଥା ହେବାରୁ ଡାକ୍ତର ପରାମର୍ଶ କରି ବହୁ ଔଷଧ ଖାଇଲେ। କିଛି ଫଳ ମିଳିଲା ନାହିଁ ା ଗୋଡ କ୍ରମଶଃ ଅଚଳ ହୋଇପଡିବାରୁ ବାଡି ଧରି ଛୋଟେଇ ଚାଲୁଛନ୍ତି। ତାଙ୍କୁ ସରକାରଙ୍କ ପକ୍ଷରୁ ୨୦୧୮ ଡିସେମ୍ବର ୧୫ରୁ ଦିବ୍ୟାଙ୍ଗ ପ୍ରମାଣପତ୍ର ମିଳିଛି ା ଯେଉଁଥିରେ ସେ ୫୦ ପ୍ରତିଶତ ଦିବ୍ୟାଙ୍ଗ ବୋଲି ଉଲ୍ଲେଖ ରହିଛି। ଏହାସତ୍ତ୍ୱେ ସରକାରୀ ସହାୟତା ମିଳିନି। ଶଙ୍କର କାମଧନ୍ଦା କରି ପାରୁନାହାନ୍ତି। ଜମିବାଡି ନାହିଁ ା ଅନ୍ୟ ଜଣଙ୍କ ଜାଗାରେ ଚାଳ ଘରଟିଏ କରି ରହିଛନ୍ତି। ଡିମିରିଗୁଡା ଛକରେ ସେ ଏକ ଜଳଖିଆ ଦୋକାନ କରିଛନ୍ତି। ଦୋକାନ ଘର ପାଇଁ ମାସକୁ ୫୦୦ ଟଙ୍କା ଭଡା ଦେବାକୁ ପଡୁଛି ବୋଲି କହିଛନ୍ତି। ବିଡିଓ ପ୍ରବୀଣ କୁମାର ବାଣୁଆଙ୍କୁ ପଚାରିବାରୁ, ଦିବ୍ୟାଙ୍ଗ ପ୍ରମାଣପତ୍ର ଥିଲେ ସବୁ ସୁବିଧା ମିଳିବା କଥା, କ’ଣ ଅସୁବିଧା ହୋଇଛି ବୁଝି ପଦକ୍ଷେପ ନେବି ବୋଲି କହିଛନ୍ତି।

Share