Categories: ଜାତୀୟ

ଦିଲ୍ଲୀକୁ ଫେରିଲା ୮୦ ଦଶକର ନିର୍ମଳ ଆକାଶ

ନୂଆଦିଲ୍ଲୀ, ୨୮ା୩- କିଛି ଦିନ ପୂର୍ବରୁ ବିପଦଜନକ ଅବସ୍ଥାକୁ ଆସିଯାଇଥିବା ଦିଲ୍ଲୀର ବାୟୁମଣ୍ଡଳ ଏବେ ସ୍ବଚ୍ଛ ହେବାରେ ଲାଗିଛି । ଦୀର୍ଘ ବର୍ଷ ପରେ ନିର୍ମଳ ଆକାଶ ଦେଖିବାକୁ ପାଇଛନ୍ତି  ଦିଲ୍ଲୀବାସୀ। ରାସ୍ତାରେ ଯାନବାହନ ଚଳାଚଳ ନିଷିଦ୍ଧ, ବିଭିନ୍ନ ଶିଳ୍ପ, କଳକାରଖାନା ଆଦି ବନ୍ଦ ଯୋଗୁ ଏହା ସମ୍ଭବ ହୋଇପାରିଛି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (ବାୟୁ ଗୁଣବତ୍ତା ସୂଚକ) ୬୯ ରହିଥିବା ଜଣାପଡିଛି ।  ଏକ୍ୟୁଅଆଇ ୫୦ରୁ ୧୦୦ ମଧ୍ୟରେ ରହିବା ନିରାପଦ ହୋଇଥାଏ। କିନ୍ତୁ ମାର୍ଚ୍ଚ ୨୨ରେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୧୯୧ରେ ବିପଦଜନକ ସ୍ତରରେ ପହଞ୍ଚିଥିଲା। ବାୟୁ ଗୁଣବତ୍ତା ବଢାଇବା ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଇଥିଲା। ଏପରିକି ରାସ୍ତାରେ ଯୁଗ୍ମ-ଅଯୁଗ୍ମ ଗାଡ଼ି ଚଳାଚଳ କରିବାକୁ ସରକାର ନିୟମ ଜାରି କରିଥିଲେ। ଏହା ସତ୍ତ୍ୱେ ବାୟୁ ଗୁଣବତ୍ତା ମାନକ ସୁରକ୍ଷିତ ଜୋନ ମଧ୍ୟକୁ ଆସିପାରି ନ ଥିଲା। ହେଲେ ଏବେ କରୋନା ଭାଇରସ ଯୋଗୁ ସମସ୍ତ ଦେଶ ଲକଡାଉନ ରହିଥିବାରୁ  ଏହା ସମ୍ଭବ ହୋଇପାରିଥିବା ପରିବେଶବିତ ପ୍ରକାଶ କରିଛନ୍ତି । ଆସନ୍ତା ୨ ସପ୍ତାହ ମଧ୍ୟରେ ଏୟାର କ୍ୱାଲିଟିରେ ଆହୁରି ଉନ୍ନତି ପରିଲକ୍ଷିତ ହେବ ବୋଲି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି।
ଏବେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର ହୋଇଛି । କେତେଜଣ ଟୁଇଟର ଆକାଉଣ୍ଟଧାରୀ କରୋନା କଟକଣା ଯୋଗୁ ଏପରି ହୋଇଛି ବୋଲି କହିଥିବା ଦେଖିବାକୁ ମିଳିଛି । ୧୯୮୦ ଓ ପ୍ରାରମ୍ଭିକ ୯୦ ଦଶକର ନିର୍ମଳ ଆକାଶ ଦିଲ୍ଲୀରେ ଦେଖାଯାଇଛି ବୋଲି ଏନଜିଓ ଗ୍ରୀନ ସର୍କଲର ଫାଉଣ୍ଡର ଭି. ସିଲଭା ରାଜନ କହିଛନ୍ତି। ଶୁକ୍ରବାର ଦିଲ୍ଲୀରେ ଅପରାହ୍ନରେ ବର୍ଷା ଯୋଗୁ ବାୟୁମଣ୍ଡଳ ଆହୁରି ସ୍ବଚ୍ଛ ହୋଇପାରିଥିବା ବୋର୍ଡ ଅଧତ୍କାରୀମାନେ ପ୍ରକାଶ କରିଛନ୍ତି।

Share