ନୂଆଦିଲ୍ଲୀ,୧୬।୪: କରୋନା ସଂକ୍ରମଣ ନେଇ ଭାରତରେ କିଛି ଦିନ ଧରି ଆତଙ୍କ ଜାରି ରହିଛି। ତେବେ ଏବେ ଦିଲ୍ଲୀରୁ ଖୁସି ଖବର ଆସିଛି। ଜୋନ୍ସ୍ ହପ୍କିନ୍ସ୍ ବିଶ୍ୱ ବିଦ୍ୟାଳୟର କରୋନା ଡାଟାବେସ୍ ଅନୁସାରେ ୧୦,୦୦୦ରୁ ଅଧିକ ସଂକ୍ରମିତ ଥିବା ୨୩ ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୯ ରହିଛି। ପୃଥିବୀର ଅନ୍ୟ ଦେଶ ତୁଳନାରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା କମ୍ ରହିବା ସହିତ ଦେଶରେ ନୂଆ କରୋନା ସଂକ୍ରମଣ ହାର ମଧ୍ୟ ଅଧିକ ନାହିଁ ବୋଲି ଡାଟାବେସ୍ରେ ଦର୍ଶାଯାଇଛି। ସେହିପରି ମହାରାଷ୍ଟ୍ର ଏବଂ କେରଳରେ ନୂଆ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ତେଣୁ ଦେଶବ୍ୟାପୀ ଜାରି ହୋଇଥିବା ଲକ୍ ଡାଉନ୍ ଏବଂ ସାମାଜିକ ଦୂରତା ବଜାୟ ରଖିବା ସଚେତନତା ବାର୍ତ୍ତା ବେଶ୍ ସଫଳ ରହିଛି। ଏହା ସହିତ ଅନ୍ୟ ବୈଧାନିକ ସତର୍କତା ଭାରତର ଲୋକେ ମାନୁଥିବାରୁ ନୂଆ ସଂକ୍ରମିତଙ୍କ ସଂଖ୍ୟା କମି ଯାଇଥିବା ଡାଟାବେସ୍ ରିପୋର୍ଟରେ ଦର୍ଶାଯାଇଛି।