Categories: ଜାତୀୟ

ଦିଲ୍ଲୀରେ ଇଣ୍ଟରନେଟ ସେବା ବାଧାପ୍ରାପ୍ତ: ଉତ୍ତର ପ୍ରଦେଶରେ ବସ୍‌ ଜାଳିଦେଲେ ଲୋକେ

ନୂଆଦିଲ୍ଲୀ,୧୯।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାକୁ ନେଇ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ରାଜନେତା, ବୁଦ୍ଧିଜୀବୀ ସମସ୍ତେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଗୁରୁବାର ରାଜଧାନୀ ଦିଲ୍ଲୀଠାରୁ ବିହାର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ବେଙ୍ଗାଲୁରୁ ସବୁଠି ପ୍ରଦର୍ଶନକାରୀଙ୍କୁ ସାମ୍ନାକରି ପୋଲିସ ନୟାନ୍ତ ହୋଇଗଲାଣି। ଏହାମଧ୍ୟରେ ରାଜଧାନୀରେ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ହେବା ସହ ମେସେଜିଂରେ ମଧ୍ୟ ବାଧା ସୃଷ୍ଟି ହୋଇଥିବା ଦେଖାଯାଇଛି। ପ୍ରଦର୍ଶନକାରୀଙ୍କ ମଧ୍ୟରୁ ଅଧିକାଂଶଙ୍କୁ ପୋଲିସ ଅଟକ ରଖିଛି। ଏହାପରେ ବି ଉତ୍ତର ପ୍ରଦେଶର ସମ୍ଭାଲାରେ ସିଏଏକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ଲୋକେ ବସ୍‌ ପୋଡିଦେଇଥିବା ଦେଖାଯାଇଛି। ସେମିତି ଦିଲ୍ଲୀ-ଗୁରୁଗ୍ରାମ ରାସ୍ତାରେ ବାରିକେଡ କରି ପୋଲିସ ଜଗି ରହିଥିବା ବେଳେ ଏଠାରେ ଟ୍ରାଫିକ ଜାମ୍‌ ଲକ୍ଷ୍ୟ କରାଯାଇଛି। ଅନ୍ୟପଟେ ପଶ୍ଚିମବଙ୍ଗରେ ଫିଲ୍ମ ନିର୍ମାତା ଅପର୍ଣ୍ଣା ସେନ କୋଲକାତାରେ ହୋଇଥିବା ବିରୋଧ ପ୍ରଦର୍ଶନରେ ଯୋଗଦେଇ ସିଏଏ ଦେଶର ଏକତାକୁ ଭଙ୍ଗ କରୁଛି ବୋଲି କହି ଏହାର ବିରୋଧ କରିଛନ୍ତି। ସେପଟେ ଶିରୋମଣି ଅକାଳ ଦଳ ମୁଖ୍ୟ ସୁଖବିନ୍ଦର ସିଂ ବାଦଲ କହିଛନ୍ତି ବିରୋଧର ଯେପରି ହିଂସାର ରୂପ ନ ନିଏ।

Share