ଦିଲ୍ଲୀରେ ଓଡ଼ିଆ ଡାକ୍ତରଙ୍କ କରୋନାରେ ମୃତ୍ୟୁ: ପତ୍ନୀ, ଦୁଇ ଝିଅ ମଧ୍ୟ ସଂକ୍ରମିତ

ଭୁବନେଶ୍ୱର, ୨୦।୬(ବ୍ୟୁରୋ)-  ଦିଲ୍ଲୀରେ ଜଣେ ଓଡ଼ିଆ ଡାକ୍ତରଙ୍କ କରୋନାରେ ମୃତ୍ୟୁ ଘଟିଛି। ସେ ହେଲେ ୩୯ ବର୍ଷୀୟ ଡା. ଅଶ୍ୱିନୀ କୁମାର ପ୍ରତାପ। ତାଙ୍କ ଘର କଟକ ଜିଲା ବାଙ୍କୀରେ। ସେ ନ୍ୟାଶନାଲ ହେଲ୍‌ଥ ସିଷ୍ଟମ ରିସୋର୍ସ ସେଣ୍ଟର(ଏନ୍‌ଏଚ୍‌ଏସ୍‌ଆର୍‌ସି)ରେ ଜଣେ ସିନିୟର କନ୍‌ସଲଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। କିଛିଦିନ ତଳେ ଅସୁସ୍ଥ ଅନୁଭବ କରିବା ସହ ତାଙ୍କଠାରେ କରୋନା ଲକ୍ଷଣ ଦେଖାଯିବାରୁ ଗତ ୧୬ ତାରିଖରେ ଦୀପଚାନ୍ଦ ବନ୍ଧୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ନମୁନା ପଜିଟିଭ୍‌ ଆସିବାରୁ ସେଠାରୁ ତାଙ୍କୁ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ୧୯ ତାରିଖରେ ତାଙ୍କ ଶରୀରରେ ହିମୋଗ୍ଲୋବିନ ମାତ୍ରା ଅନିୟନ୍ତ୍ରିତ ଭାବେ ବଢ଼ିଯାଇଥିଲା। ଶନିବାର ସକାଳେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଯିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ପୂର୍ବାହ୍ନ ୧୧ଟାରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ହସ୍ପିଟାଲ ପକ୍ଷରୁ ଘୋଷଣା କରାଯାଇଥିଲା। ଅନ୍ୟପକ୍ଷରେ ତାଙ୍କ ସ୍ତ୍ରୀ ଓ ଦୁଇ ଜାଆଁଳା ଝିଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଭୁବନେଶ୍ୱର କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share