ଦିଲ୍ଲୀରେ ଖୋଲିବ ୬୬ଟି ଅଡ୍‌-ଇଭିନ୍‌ ଘରୋଇ ମଦ ଦୋକାନ

ନୂଆଦିଲ୍ଲୀ,୨୩।୫: ଦେଶରେ ଜାରି ରହିଥିବା ଲକ୍‌ଡାଉନ ୪.୦ରେ ସରକାର କେତେକ କଟକଣାକୁ କେହାଳ କରିଥିଲେ। ସେଥିମଧ୍ୟରୁ ମଦ ହେଉଛି ଅନ୍ୟତମ। ଇତିମଧ୍ୟରେ ଶନିବାରଠାରୁ ଦିଲ୍ଲୀରେ ଘରୋଇ ମଦ ଦୋକାନ ଖୋଲିବ। ବର୍ତ୍ତମାନ ଅଡ୍‌ ଇଭିନ ନମ୍ବର ଥିବା ୬୬ଟି ଦୋକାନ ଖୋଲିବ ବୋଲି ସୂଚନା ରହିଛି। ଏଲ୍‌-୭ ଓ ଏଲ୍‌-୯ ନମ୍ବର ଥିବା ଦୋକାନକୁ ଖୋଲାଯିବା ପାଇଁ ଅନୁମତି ଦିଆଯାଇଛି ବୋଲି ଶୁକ୍ରବାର ଅବକାରୀ ବିଭାଗ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଡ୍‌ ଇଭିନ ଆଧାରରେ ସକାଳ ୯ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଘରୋଇ ମଦ ଦୋକାନ ଖୋଲା ରହିବ। ଏଥିସହ ଦୋକାନ ବାହାରେ ଜଣେ ଗାର୍ଡ ମୁତୟନ ହୋଇ ସାମାଜିକ ଦୂରତ୍ୱ ରକ୍ଷା କରିବେ ବୋଲି ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ଯଦି ଆଗାମୀ ଦିନରେ ଏହି ଦୋକାନଗୁଡ଼ିକ ମଧ୍ୟରୁ କୌଣସିଟି ବି କଣ୍ଟେନମେଣ୍ଟ ଜୋନ ଭିତରକୁ ଆସେ, ତେବେ ଏହାକୁ ତୁରନ୍ତ ବନ୍ଦ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ମୁତାବକ ଦିଲ୍ଲୀରେ ୩୮୯ ଘରୋଇ ମଦ ଦୋକାନ ରହିଛି। ସେଥିମଧ୍ୟରୁ ପ୍ରାୟ ୧୫୦ଟି ଦୋକାନ ମଲ୍‌ରେ ରହିଥିବାରୁ ଲକ୍‌ଡାଉନ ୪.୦ ନିୟମ ଅନୁସାରେ ଏହି ଦୋକାନଗୁଡ଼ିକ ଏବେ ଖୋଲାଯାଇପାରିବ ନାହିଁ।

Share