ଦିଲ୍ଲୀରେ ଗରିବ ଓଡ଼ିଆଙ୍କ ଦୁର୍ଦ୍ଦଶା ବଢ଼ୁଛି

ନୂଆଦିଲ୍ଲୀ,୨୧।୪: ଲକ୍‌ଡାଉନ ଯୋଗୁ ଦିଲ୍ଲୀରେ ଥିବା ଗରିବ, ଖଟିଖିଆ ଓଡ଼ିଆଙ୍କ ଦୁର୍ଦ୍ଦଶା ଅସମ୍ଭାଳ ହୋଇପଡ଼ିଛି। ହାତରେ କାମ ନାହିଁ କି ପେଟରେ ଦାନା ନାହିଁ। ଠିକାରେ କାମ କରୁଥିବା ଶ୍ରମିକମାନେ ଏଠାରେ ସବୁଠାରୁ ଅଧିକ ଦୁର୍ଦ୍ଦଶା ଭୋଗୁଛନ୍ତି। ଘରୁ ବାହାରିବା ଲାଗି ଅନୁମତି ନାହିଁ। ଯିଏ ଯେଉଁଠାରେ ଅଛନ୍ତି, ସେହିଠାରେ ରହିବେ ବୋଲି ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ବାହାର ରାଜ୍ୟରେ ପ୍ରବାସୀ ଓଡ଼ିଆଙ୍କ ସ୍ଥିତି କ’ଣ, ତାହା ଏହିଠାରୁ ସହଜେ ଅନୁମେୟ। ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ଆବାସିକ କମିଶନର ଏବଂ ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ବୁଝିବାକୁ ଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ରବିକାନ୍ତ ସମସ୍ତ ସହଯୋଗ ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦେଇଥିଲେ। ପ୍ରାୟ ୧୫ ହଜାର ପ୍ରବାସୀ ଓଡ଼ିଆଙ୍କ ସହ କଥାହୋଇଥିବା ଓ ସ୍ଥିତି ଏଠାରେ ଅପେକ୍ଷାକୃତ ଭଲ ଥିବା କୁହାଯାଇଛି। ସେପଟେ ବିଭିନ୍ନ ଅଞ୍ଚଳରେ ଥିବା ଲୋକମାନେ ଓଡିଶା ସରକାରଙ୍କ ପକ୍ଷରୁ କିଛି ସହଯୋଗ ମିଳୁ ନ ଥିବା ଅଭିଯୋଗ କରିଛନ୍ତି। ଖାଦ୍ୟ ବିତରଣ ପାଇଁ କେତେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହଯୋଗ ଲାଗି ଆଗେଇ ଆସିଛନ୍ତି। ଓଡ଼ିଆ ସମାଜ, ରାଷ୍ଟ୍ରୀୟ ବୈଦ୍ଧିକ ମଞ୍ଚ, ଓଡ଼ିଶା ଡେଭେଲପ୍‌ମେଣ୍ଟ ଫୋରମ୍‌, ଓଡ଼ିଶା ମହାମଞ୍ଚ, ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର, ସାର୍ବଜନୀନ କଳିଙ୍ଗ ଆସୋସିଏସନ ଓ ବଦାନ୍ୟ ବ୍ୟକ୍ତିବିଶେଷ ଦିଲ୍ଲୀରେ ଥିବା ଗରିବ ଓଡ଼ିଆଙ୍କୁ ଖାଦ୍ୟ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଦିଲ୍ଲୀସ୍ଥିତ ବସାଇଧରାପୁର, ରମେଶନଗର, କୋଟଲା ମୁବାରକପୁର, ଛତରପୁର, ଆୟାନଗର, ମହିପାଲପୁର, ଗୋବିନ୍ଦପୁରୀ, ଶାସ୍ତ୍ରୀପାର୍କ, ଖାନ୍‌ପୁର, ଦଓ୍ବେଲି ଭିଲେଜ୍‌ ଆଦି ସ୍ଥାନରେ ଓଡ଼ିଆଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି।

Share