Categories: ବାଣିଜ୍ୟ

ଦିଲ୍ଲୀରେ ପିଆଜ କିଲୋ ୮୦ ଟଙ୍କା ଛୁଇଁଲା

ନୂଆଦିଲ୍ଲୀ,୨୩-୯: ଦେଶର ରାଜଧାନୀ ନୂଆଦିଲ୍ଲୀ ସହ ଅନ୍ୟ ପ୍ରାନ୍ତରେ ପିଆଜ ଦର କିଲୋ ପିଛା ୭୦ରୁ ୮୦ ଟଙ୍କା ଛୁଇଁଛି। ଏପରି ସ୍ଥିତିରେ କେନ୍ଦ୍ର ସରକାର ବ୍ୟବସାୟୀଙ୍କ ପିଆଜ ମହଜୁଦ କରିବାର ସୀମା ନିର୍ଦ୍ଧାରଣ କରିବାକୁ ବିଚାର କରୁଛନ୍ତି। ପିଆଜ ଉତ୍ପାଦନକାରୀ ରାଜ୍ୟରେ ବର୍ଷା ଯୋଗୁ ଉତ୍ପାଦନ ବାଧାପ୍ରାପ୍ତ ହେବାରୁ ଏଭଳି ସ୍ଥିତି ଉପୁଜିଛି। ଖାଉଟି ବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ମୁତାବକ ଗତ ସପ୍ତାହରେ ନୂଆଦିଲ୍ଲୀରେ ପିଆଜର କିଲୋ ପ୍ରତି ଦର ୫୭ ଟଙ୍କା ରହିଥିଲା। ସେହିଭଳି ମୁମ୍ବାଇରେ ଏହାର ଦାମ ୫୬ ଟଙ୍କା ଥିବା ବେଳେ କଲିକତାରେ ୪୮ ଏବଂ ଚେନ୍ନାଇରେ ୩୪ ଟଙ୍କା ଥିଲା। ଅପରପକ୍ଷରେ ଗୁରୁଗ୍ରାମ ଏବଂ ଜମ୍ମୁରେ ପିଆଜ ଦର ୬୦ ଟଙ୍କା ଛୁଇଁଛି। ଗତ ସପ୍ତାହରେ ପିଆଜର ଖୁଚୁରା ବଜାର ଦର ୫୦ରୁ ୬୦ ଟଙ୍କା ଥିବା ବେଳେ ଏହା ୭୦ରୁ ୮୦ଟଙ୍କା ଛୁଇଁଛି।
ସୂତ୍ର ମୁତାବକ, ପିଆଜ ଦର ନିୟନ୍ତ୍ରଣ ଏବଂ ଯୋଗାଣକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ମାତ୍ର ପିଆଜ ଦର ହ୍ରାସ ହେବାର ନାଁ ଧରୁ ନାହିଁ। ଗତ ୨ରୁ ୩ ଦିନ ମଧ୍ୟରେ ପିଆଜ ଉତ୍ପାଦକ ରାଜ୍ୟଗୁଡିକରେ ପ୍ରବଳ ବର୍ଷା ଯୋଗୁ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଆଗାମୀ କିଛି ଦିନରେ ସ୍ଥିତି ନିୟନ୍ତ୍ରଣକୁ ନ ଆସିଲେ ସରକାର ପିଆଜ ମହଜୁଦ ଉପରେ ସୀମା ନିର୍ଦ୍ଧାରଣ କରିବେ। ପାଣିପାଗ ବିଭାଗ ସୂଚନା ମୁତାବକ ମହାରାଷ୍ଟ୍ର, କର୍ନାଟକ, ଆନ୍ଧ୍ର ପ୍ରଦେଶ, ଗୁଜରାଟ, ପୂର୍ବ ରାଜସ୍ଥାନ ଏବଂ ପଶ୍ଚିମ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ବ୍ୟବସାୟୀଙ୍କ ସୂଚନା ମୁତାବକ ଏବେ ଭଣ୍ଡାରରେ ଥିବା ପିଆଜ ବିକ୍ରି ହେଉଛି। ଖରିଫ ଫସଲ ନଭେମ୍ବରରେ ବଜାରକୁ ଆସିବ ବୋଲି ଜଣାପଡିଛି।

Share