Categories: ଜାତୀୟ

ଦିଲ୍ଲୀରେ ବଡ଼ଧରଣର ଭୂକମ୍ପ ହେବାର ରହିଛି ଆଶଙ୍କା: ଦେଢ଼ ମାସରେ ୧୦ଥର ଥରିଲାଣି ଦେଶର ରାଜଧାନୀ

ନୂଆଦିଲ୍ଲୀ,୩୧।୫: ଗତ ଦେଢ଼ ମାସ ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀରେ ୧୦ଥର କମ୍‌ ତୀବ୍ରତାଯୁକ୍ତ ଭୂକମ୍ପ ହୋଇଛି। ଏହା ଆଗାମୀ ଦିନରେ ଏଠାରେ ବଡ଼ଧରଣର ଭୂକମ୍ପ ହେବାର ଆଶଙ୍କାକୁ ସୂଚିତ କରୁଛି। ଏନେଇ ଓ୍ବାଡ଼ିଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହିମାଲୟାନ ଜିଓଲୋଜିର ମୁଖ୍ୟ ଡ. କଳାଚାନ୍ଦ ସେନ୍‌ କହିଛନ୍ତି। ଦିଲ୍ଲୀ  ଭୂକମ୍ପ ପ୍ରବଣ ଜୋନ୍‌ରେ ରହିଛି। ଦିଲ୍ଲୀ ସହରର ପରିସୀମାକୁ ଲାଗି ବହୁ ଘରୋଇ କୋଠା ନିର୍ମିତ ହୋଇଛି। ଏସବୁ କୋଠା ନିର୍ମାଣରେ ସରକାରଙ୍କ ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡ(ବିଆଇଏସ୍‌)ର ମାର୍ଗଦର୍ଶିକାକୁ ପାଳନ କରାଯାଇ ନାହିଁ। ଏପରିସ୍ଥଳେ ଯଦି ୫.୫ ଅବା ୬.୦ ତୀବ୍ରତାଯୁକ୍ତ ଭୂକମ୍ପ ଆସେ ତେବେ ଦିଲ୍ଲୀରେ ସଙ୍କଟ ଦେଖାଯିବ ବୋଲି କଳାଚାନ୍ଦ କହିଛନ୍ତି। ମେ ୨୯ରେ ଦିଲ୍ଲୀରେ ହୋଇଥିବା ଭୂକମ୍ପର ତୀବ୍ରତା ୪.୫ ଥିଲା। ଏହାର ତୀବ୍ରତା ଅଳ୍ପ ଅଧିକ ହୋଇଥିଲେ ଦିଲ୍ଲୀରେ ଏହାର ପ୍ରଭାବ ଦେଖିବାକୁ ମିଳିଥାନ୍ତା। ଏପ୍ରିଲ୍‌ ୧୨ରୁ ମେ ୨୯ ମଧ୍ୟରେ ଦିଲ୍ଲୀ ୧୦ ଥର ଥରିଛି। ଏହି ସମୟ ମଧ୍ୟରେ ଉତ୍ତରାଖଣ୍ଡରେ ୪ଥର ଏବଂ ହିମାଚଳପ୍ରଦେଶରେ ୬ ଥର ଭୂକମ୍ପ ସୃଷ୍ଟି ହୋଇଛି। ଏହା ଭବିଷ୍ୟତରେ ଏକ ବଡ଼ ଧରଣର ଭୂକମ୍ପ ହେବାର ସତର୍କ ସୂଚନା ଦେଇଥିବା କଳାଚାନ୍ଦ କହିଛନ୍ତି।

Share