Categories: ଜାତୀୟ

ଦିଲ୍ଲୀରେ ବଡ଼ ଧରଣର ଆକ୍ରମଣ ପାଇଁ ସେଓ ବଗିଚାରେ ଷଡ଼ଯନ୍ତ୍ର ରଚିଥିଲେ ଆତଙ୍କବାଦୀ

ନୂଆଦିଲ୍ଲୀ,୪।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ରକ୍ତକୁଖା ହୋଇପଡ଼ିଛି। ଭାରତରେ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିବାରେ ଲାଗିଛି ପାକିସ୍ତାନ। ଏନେଇ ରାଜଧାନୀ ଦିଲ୍ଲୀରେ ଆକ୍ରମଣ ଲାଗି ଏକ ସେଓ ବଗିଚାରେ ଯୋଜନା କରୁଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରେ ଥିବା ଜୈଶ-ଏ-ମହମ୍ମଦର ୩ରୁ ୪ଜଣ ପ୍ରଶିକ୍ଷିତ ଗ୍ରୁପ୍‌ଙ୍କୁ ଦିଲ୍ଲୀ, କଶ୍ମୀର ଓ ପଞ୍ଜାବକୁ ପଠାଯାଇଛି। ୫ ଦିନ ପୂର୍ବରୁ ପ୍ରାୟ ୯୦୦ କିଲୋମିଟର ଦୂର କଶ୍ମୀରର ବାନ୍ଦିପୁରା ଜିଲାରେ ଥିବା ଏକ ସେଓ ବଗିଚାରେ ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ର କରିଥିଲେ। କୋଡ୍‌ ଇଣ୍ଟରସେପ୍ଟ ଜରିଆରେ ଆତଙ୍କବାଦୀଙ୍କ ଏହି କଥାବାର୍ତ୍ତା ବିଷୟରେ ଗୁଇନ୍ଦା ବିଭାଗ ଜାଣିପାରିଛି। ସେଥିରେ ଦୀପାବଳି ଓ କଶ୍ମୀର ସେଓକୁ ଦିଲ୍ଲୀରେ ଯୋଗାଇବାକୁ ପ୍ରସ୍ତୁତ କରାଯାଉଛି ଭଳି କୋଡରେ ଯୋଜନା କରାଯାଉଥିବା ନେଇ ସୂଚନା ମିଳିଛି। ଏହି ଯୋଜନାକୁ ଜୈଶ କମାଣ୍ଡର ଆବୁ ଉସ୍‌ମାନ ପ୍ରସ୍ତୁତ କରିଥିବା ବେଳେ ଏହାକୁ ଗୋପନୀୟ ଯୋଜନା ‘ଡି’ ଦିଆଯାଇଥିବ ଜଣାପଡ଼ିଛି। ଏହାପରେ ଗୁଇନ୍ଦା ବିଭାଗ ପକ୍ଷରୁ ଜମ୍ମୁ କଶ୍ମୀର ପୋଲିସ, ସିଆରପିଏଫ, ବିଏସଏଫ ଓ ଦିଲ୍ଲୀ ପୋଲିସକୁ ଆଲର୍ଟ କରାଯାଇଛି। ସତର୍କ ସୂଚନା ମିଳିବା ପରେ ସହରରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Share