ଦିଲ୍ଲୀରେ ବଢୁଛି କରୋନା ମୃତକଙ୍କ ସଂଖ୍ୟା: ଅନ୍ତିମ ସଂସ୍କାର ପାଇଁ କବରସ୍ତାନରେ ସ୍ଥାନର ଅଭାବ

ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣ ଯୋଗୁ ଦିଲ୍ଲୀରେ ସଙ୍କଟ ସୃଷ୍ଟି ହୋଇଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅନ୍ତିମ ସଂସ୍କାର ପାଇଁ କବରସ୍ତାନରେ ସ୍ଥାନର ଅଭାବ ଦେଖାଦେଇଛି। ସ୍ଥାନୀୟ ଜଦିଦ୍‌ କବରସ୍ତାନରେ ଗତ ଅଢ଼େଇମାସ ମଧ୍ୟରେ ସର୍ବାଧିକ ମୃତକଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଏଠାରେ ମୁଖ୍ୟତଃ ପୁରୁଣା ଦିଲ୍ଲୀ ବାସିନ୍ଦାଙ୍କର ଅନ୍ତିମ ସଂସ୍କାର କରାଯାଇଥାଏ। କରୋନା ମୃତକଙ୍କୁ ସହରର ବିଭିନ୍ନ ସ୍ଥାନରୁ ଏଠାକୁ ଅଣାଯାଉଛି। କବରସ୍ତାନର ୪୫ ଏକର ଜମି ମଧ୍ୟରୁ କରୋନା ମୃତକଙ୍କ ପାଇଁ ୫ ବିଘା ଅଲଗା କରାଯାଇଛି। ତେବେ ଇତିମଧ୍ୟରେ ୫ ବିଘା ମଧ୍ୟରୁ ୭୫ ପ୍ରତିଶତ ପୂରଣ ହୋଇସାରିଥିବା ଏଠାରେ କବର ଖୋଳିକା କାମ କରୁଥିବା ମହମ୍ମଦ ଶମିମ୍‌ କହିଛନ୍ତି। ସେ ନିଜେ ୩୦୦ ମୃତକଙ୍କୁ କବର ଦେଇଛନ୍ତି। ପ୍ରଥମେ ଏଠାରେ କରୋନା ସଂକ୍ରମିତଙ୍କୁ କବର ଦେବା ଳାଗି ମନା କରାଯାଇଥିଲା। ଡାକ୍ତରମାନେ ବୁଝାଇଥିଲେ। ଏହାପରେ ଶମିମ୍‌ ଏପରି କରିବାକୁ ଅଣ୍ଟା ଭିଡ଼ିଥିଲେ। ଲକ୍‌ଡାଉନ୍‌ ଖୋଲିବା ପରେ ଏଠାକୁ ପ୍ରତିଦିନ ୧୦ରୁ ୧୨ ମୃତ ଦେହକୁ ଅନ୍ତିମ ସଂସ୍କାର ପାଇଁ ଅଣାଯାଉଛି। ଗତ ୩ ପିଢ଼ି ଧରି ତାଙ୍କ ବଂଶ ଏଭଳି କବର ଖୋଳିବା କାମ କରୁଥିବା ଶମିମ୍‌ କହିଛନ୍ତି।

Share