Categories: ଜାତୀୟ

ଦିଲ୍ଲୀର ଜନତା ଏଥର କେବଳ ‘ଝାଡୁ’କୁ ହିଁ ଭୋଟ ଦେବେ: ସୁନୀତା କେଜରିଓ୍ବାଲ

ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ଏଥର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପାଇଁ ତାଙ୍କ ପରିବାର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ନୂଆଦିଲ୍ଲୀ ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା କେଜରିଓ୍ବାଲଙ୍କ ସ୍ତ୍ରୀ ସୁନୀତା, ଝିଅ ହର୍ଷିତା ଏବଂ ପୁଅ ପୁଲକିତ ଘର ଘର ବୁଲି ଭୋଟ ମାଗୁଛନ୍ତି। କେଜରିଓ୍ବାଲଙ୍କ ସ୍ତ୍ରୀ ସୁନୀତା କହିଛନ୍ତି, ଆମ ଆଦମୀ ପାର୍ଟି ଉପରେ ଭାଜପା ବହୁପ୍ରକାର ଅଭିଯୋଗ ଆଣୁଛନ୍ତି। ଦିଲ୍ଲୀର ଜନତା ସବୁ ଦେଖୁଛନ୍ତି। ଏଥର ଜନତା ଭୋଟ କେବଳ ‘ଝାଡୁ’(ଆମ ଆଦମୀ ପାର୍ଟି ଚିହ୍ନ)କୁ ଦେବେ ବୋଳି ସେ କହିଛନ୍ତି। ସୁନୀତା କେଜରିଓ୍ବାଲ ଜଣେ ଆଇଆରଏସ ଅଧିକାରୀ। ସେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି। ସୂଚନାଯୋଗ୍ୟ, କେଜରିଓ୍ବାଲ ତୃତୀୟଥର ପାଇଁ ନୂଆଦିଲ୍ଲୀରୁ ନିର୍ବାଚନ ଲଢୁଛନ୍ତି। ୨୦୧୩ରେ ପ୍ରଥମେ ଏହି ଆସନରୁ ନିର୍ବାଚନ ଲଢି ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କୁ ୨୬ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ୨୦୧୫ରେ କେଜରିଓ୍ବାଲ ଭାଜପାର ନୂପୁର ଶର୍ମାଙ୍କୁ ୩୨ ହଜାର ଭୋଟରେ ପରାସ୍ତ କରିଥିଲେ।

Share