ଦିଲ୍ଲୀର ପ୍ରଦୂଷଣ ପାଇଁ ବାତିଲ ହେଲା ଫିଲ୍ମ ଦୋସ୍ତାନା-୨ର ଶୁଟିଂ

ନୂଆଦିଲ୍ଲୀ,୧୧।୧୧: ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ପାଇଁ ସାଧାରଣ ଜନତାଙ୍କ ସହ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ଏଥିପାଇଁ ଦିଲ୍ଲୀରେ ହେବାକୁ ଥିବା ବଲିଉଡ୍‌ ଫିଲ୍ମର ଶୁଟିଂକୁ ଗୋଟିଏ ପରେ ଗୋଟିଏ ବାତିଲ କରାଯାଇ ଆଗକୁ ତାରିଖ ବଢ଼ାଇ ଦିଆଯାଇଛି। କେବଳ ସେତିକି ନୁହେଁ, କିଛି ଫିଲ୍ମର ପ୍ରଯୋଜକ ଶୁଟିଂର ସ୍ଥାନ ବଦଳାଇବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଇତିମଧ୍ୟରେ କାର୍ତ୍ତିକ ଆର୍ୟନ ଓ ଜାହ୍ନବୀ କପୁରଙ୍କ ଫିଲ୍ମ ଦୋସ୍ତାନା-୨ର ଶୁଟିଂକୁ ଅଟକାଇ ଦିଆଯାଇଥିବା ଜଣାପଡ଼ିଛି। ଏହି ଫିଲ୍ମର ଶୁଟିଂ ଦିଲ୍ଲୀରେ ହେବାକୁ ଥିବା ବେଳେ ପ୍ରଦୂଷଣ ଯୋଗୁ ହେଉଥିବା ସମସ୍ୟା କାରଣରୁ ଏହି ଫିଲ୍ମକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସହରରେ ଧୂଳି ଧୂଆଁ ଅତ୍ୟଧିକ ରହିଥିବାରୁ କ୍ୟାମେରାରେ ସ୍ପଷ୍ଟ ଚିତ୍ର ଉତ୍ତୋଳନ ହୋଇପାରି ନ ଥିଲା। ପୂର୍ବରୁ ପ୍ରିୟଙ୍କା ତାଙ୍କର ଅପ୍‌ କମିଂ ଫିଲ୍ମ ‘ଦ ହ୍ବାଇଟ୍‌ ଟାଇଗର’ର ଶୁଟିଂ ପାଇଁ ଏଠାକୁ ଆସିଥିବା ବେଳେ ପ୍ରଦୂଷଣ ଯୋଗୁ ସେ ମାସ୍କ ପିନ୍ଧି ଏକ ଫଟୋ ଶେୟାର କରିଥିଲେ। ସେହିପରି ଆମିର ଖାଁ ମଧ୍ୟ ଏହି ସମସ୍ୟା ଦେଇ ଗତି କରିସାରିଛନ୍ତି। ପ୍ରଥମେ ଦିଲ୍ଲୀରେ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ର ଶୁଟିଂ ହେବାକୁ ଥିବା ବେଳେ ପରେ ଏହାକୁ ବାତିଲ କରାଯାଇ ହିମାଚଳ ପ୍ରଦେଶରେ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।

Share