ଦିଲ୍ଲୀର ସ୍ଥିତି ଖରାପ ହେବାରେ ଲାଗିଛି: କେଜରିଓ୍ବାଲ

ନୂଆଦିଲ୍ଲୀ, ୧୦।୬: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ସ୍ଥିତି ଧୀରେଧୀରେ ଖରାପ ହେବାରେ ଲାଗିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବୁଧବାର ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି। ଇତିମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୩୦୯ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୯୦୫ରେ ଛୁଇଁଛି। ମଙ୍ଗଳବାର ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା। ତେବେ ଏହା କରୋନା ନେଗେଟିଭ୍‌ ଆସିଥିବା ସେ ସୂଚନା ଦେଇଛନ୍ତି। ଗତ ଦୁଇଦିନ ଧରି ସେ ଘରେ ବନ୍ଦ ରହିଥିବା କହିଛନ୍ତି। ବୁଧବାର ସୁଦ୍ଧା ଦିଲ୍ଲୀରେ ୧୨ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ସେ ପ୍ରକାଶ କରିଛନ୍ତି। କରୋନା ସଂକ୍ରମଣ ହାର ଦିଲ୍ଲୀରେ ଧୀରେଧୀରେ ବଢୁଥିବା କେଜରିଓ୍ବାଲ କହିଛନ୍ତି। ଏଭଳି ଧାରା ଜାରି ରହିଲେ ଜୁନ୍‌ ୧୫ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାର ଛୁଇଁବାର ଆଶଙ୍କା ଦେଖାଦେଇଛି। ସମ୍ପ୍ରତି ୧୮ ହଜାରରୁ ଅଧିକ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ସେଥିମଧ୍ୟରୁ ୧୫ ହଜାର ଆକ୍ରାନ୍ତ ନିଜ ଘରେ ଆଇସୋଲେଶନରେ ରହିଥିବା ସେ କହିଛନ୍ତି।

Share