Categories: ଜାତୀୟ

ଦିଲ୍ଲୀ ଆସିବାକୁ ଭୀମ ଆର୍ମି ମୁଖ୍ୟଙ୍କୁ ମିଳିଲା ସର୍ତ୍ତମୂଳକ ଅନୁମତି

ନୂଆଦିଲ୍ଲୀ,୨୧।୧: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ରାଜଧାନୀକୁ ଆସିବା ପାଇଁ ଅନୁମତି ମିଳିଛି। କିନ୍ତୁ ଏହି ଅନୁମତି ତାଙ୍କୁ ସର୍ତ୍ତମୂଳକ ଦିଆଯାଇଥିବା ଜଣାପଡ଼ିଛି। ମଙ୍ଗଳବାର ତିସ ହଜାରି କୋର୍ଟ ଭୀମ ଆର୍ମି ମୁଖ୍ୟଙ୍କ ମାମଲାର ଶୁଣାଣି କରି ତାଙ୍କୁ ଦିଲ୍ଲୀ ଆସିବାକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି। ଯଦି ଆଜାଦ ଦିଲ୍ଲୀ ଆସିବେ ତା’ପୂର୍ବରୁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବିଷୟରେ ସ୍ଥାନୀୟ ଡିସିପିଙ୍କୁ ଅବଗତ କରାଇବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯେପରିକି ସେ ଦିଲ୍ଲୀ କେବେ ଆସିବେ, କେଉଁଠିକୁ ଯିବେ ଓ କ’ଣ କରିବେ ସେନେଇ ସମସ୍ତ ତଥ୍ୟ ପ୍ରଥମେ ଡିସିପିଙ୍କୁ ଦେବାକୁ ପଡ଼ିବ। ଏହାଦ୍ୱାରା ଆଜାଦ ଦିଲ୍ଲୀରେ ରହିଲେ କୌଣସି ସମସ୍ୟା ଉପୁଜିବ ନାହିଁ। କାରଣ ବର୍ତ୍ତମାନ ସୋସିଆଲ ମିଡିଆ ଯୁଗରେ ନିଜ କଥା ପହଞ୍ଚାଇବା ପାଇଁ ଜଣେ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବା ଜରୁରୀ ନୁହେଁ। ତେଣୁ ଆଜାଦ୍‌ ଯେକୌଣସି ସ୍ଥାନରେ ରହି ମଧ୍ୟ ନିଜ କଥାକୁ ସୋସିଆଲ ମିଡିଆରେ ପହଞ୍ଚାଇପାରିବେ ଏବଂ ଦଙ୍ଗା ସୃଷ୍ଟି କରିପାରିବେ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ନାକରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ପ୍ରଦର୍ଶନ କରିବା ଅଭିଯୋଗରେ ଭୀମ ଆର୍ମି ମୁଖ୍ୟଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ପରେ ତାଙ୍କୁ କୋର୍ଟ ଜାମିନ ପ୍ରଦାନ କରି ଦିଲ୍ଲୀ ବାହାରକୁ ପଠାଇଦେଇଥିଲେ। ପୂର୍ବରୁ ଦିଲ୍ଲୀ ନିର୍ବାଚନକୁ ଦୃଷ୍ଟିରେ ରଖି କୋର୍ଟ ତାଙ୍କୁ ୪ସପ୍ତାହ ପର୍ଯ୍ୟନ୍ତ ବାହାରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଜି ଏହି ନିର୍ଦ୍ଦେଶକୁ କୋର୍ଟ ପରିବର୍ତ୍ତନ କରିଛନ୍ତି।

Share