ଦିଲ୍ଲୀ ଏମ୍‌ସ ଆକାଉଣ୍ଟରୁ ୪.୭୬ କୋଟି ଠକେଇ ଘଟଣା: ବ୍ୟାଙ୍କ କର୍ତ୍ତୃପକ୍ଷ ସାମିଲ ସୂଚନା

ଫୁଲବାଣୀ ଅଫିସ, ୨୭ା୧୧-ଦିଲ୍ଲୀ ଏମ୍‌ସ(ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ)ର ଆକାଉଣ୍ଟରୁ ୪ କୋଟି ୭୬ ଲକ୍ଷ ୪୬ ହଜାର ୬୨୫ ଟଙ୍କା ଚେକ୍‌ ଜରିଆରେ ଫୁଲବାଣୀ ଷ୍ଟେଟ ବ୍ୟାଙ୍କ ଶାଖାରୁ ଉଠାଣ ହେବା ଘଟଣା ଚର୍ଚ୍ଚା ଜୋର ଧରିଛି। ଏ ପର୍ଯ୍ୟନ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ କେଉଁଠି ଅଭିଯୋଗ ନ କରିବା ଘଟଣାକୁ ଆହୁରି ରହସ୍ୟାବୃତ୍ତ କରୁଛି। ସବୁଠୁ ବଡ କଥା, ସତ୍ୟସାଇ ମେଡିସିନ ଷ୍ଟୋର ଆକାଉଣ୍ଟର ଲିମିଟ ୭ ଲକ୍ଷ ଟଙ୍କା। ୪.୭୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଚେକ୍‌ ଏହି ଆକାଉଣ୍ଟରେ କ୍ରେଡିଟ ହେଲା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ କିପରି ଜାଣି ପାରିଲେନି ତାହା ସନ୍ଦେହ ସୃଷ୍ଟି ହେଉଛି। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଜାଣତରେ ଏହା ହୋଇଥିବା ଓ ଚେକ୍‌କୁ ଇନ କ୍ୟାଶ କରିବା ପାଇଁ ପ୍ରାୟ ୫୦ଲକ୍ଷ ଟଙ୍କା କାରବାର ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।
ବ୍ୟାଙ୍କରେ କେଉଁ ଆକାଉଣ୍ଟଧାରୀ କେତେଟଙ୍କା ଟ୍ରାଞ୍ଜାକସନ କରନ୍ତି ତାହା ବ୍ୟାଙ୍କ କର୍ତ୍ତୃପକ୍ଷ ଭଲ ଭାବେ ଜାଣନ୍ତି। ସତ୍ୟସାଇ ମେଡିସିନ ଷ୍ଟୋର ଆକାଉଣ୍ଟଧାରୀ ଚନ୍ଦ୍ରଶେଖର ପଣ୍ଡା ଯେତେବଳେ ୪.୭୬ କୋଟି ଟଙ୍କାର ଚେକ ଡିପୋଜିଟ କଲେ ସେତବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରଥମେ ଉକ୍ତ ଟଙ୍କା ବିଷୟରେ ତାଙ୍କ ସହ ଆଲୋଚନା କରିବା କଥା। ଅନ୍ୟପକ୍ଷରେ ଯେଉଁ ପାର୍ଟି ଚେକ ଦେଇଛନ୍ତି ତାଙ୍କୁ ପଚାରି ଅବଗତ ହେବା କଥା। ତାହା କରାଯାଇନାହିଁ। ସର୍ବୋପରି ୭ ଲକ୍ଷ କ୍ରେଡିଟ ଲିମିଟ ଥିବା ଆକାଉଣ୍ଟରେ ଏତେ ଟଙ୍କାର ଚେକ୍‌ ଯଦି ବି କ୍ୟାଶ ପାଇଁ ପଡିଲା, ସେତେବେଳେ ତାହାକୁ ଲକ କରି ଆକାଉଣ୍ଟଧାରୀଙ୍କୁ ଡାକି ତର୍ଜମା କରିବା କଥା ଏବଂ ସନ୍ତୁଷ୍ଟ ନ ହେଲେ ଅପରାଧ ଶାଖାର ଆଶ୍ରୟ ନେବାକୁ ବ୍ୟାଙ୍କ ନିୟମାବଳୀ ରହିଛି। ଯାହାକୁ ଏହି କ୍ଷେତ୍ରରେ ଅନୁସରଣ କରାଯାଇନାହିଁ। ସେହିପରି ଚେନ୍ନାଇର ଭିଏମ୍‌ଏକ୍ସ ଇମ୍ପେକ୍ସ ପ୍ରାଇଭେଟ ଲିମିଟେଡ ଆକାଉଣ୍ଟକୁ ୪ କୋଟି ୧୦ ଲକ୍ଷ ଟଙ୍କା ଟ୍ରାନ୍ସଫର ହେବା ଘଟଣାକୁ ଆହୁରି ରହସ୍ୟାବୃତ କରୁଛି। ଏ ନେଇ ବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ଦୀପକ ମଲ୍ଲିକ ଘଟଣା ବିଷୟରେ ସେ କହି ପାରିବେ ନାହିଁ, ଭୁବନେଶ୍ୱରରେ ଥିବା କର୍ତ୍ତୃପକ୍ଷ କହି ପାରିବେ ବୋଲି କହିଛନ୍ତି।