Categories: ଜାତୀୟ

ଦିଲ୍ଲୀ କପଡ଼ା ଗୋଦାମରେ ଲାଗିଲା ନିଆଁ: ୯ ମୃତ

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ନିଆଁ ଯେମିତି ଦିଲ୍ଲୀର ପିଛା ଛାଡୁନି। ପୁଣିଥରେ ରବିବାର ବିଳମ୍ବିତ ରାତିରେ କିରାରି ଅଞ୍ଚଳରେ ଥିବା ଏକ କପଡ଼ା ଗୋଦାମରେ ନିଆଁ ଲାଗିଯିବା ଫଳରେ ଏପର୍ଯ୍ୟନ୍ତ ଏଥିରେ ୩ ଶିଶୁଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଶିଶୁଙ୍କ ମଧ୍ୟରେ ରହିଛନ୍ତି ୬ ମାସର ତୁଳସୀ, ୭ ବର୍ଷର ଆଦର୍ଶ ଓ ୧୦ ବର୍ଷର ଉଦାଇ। ଏମାନଙ୍କ ମାତାପିତା ମଧ୍ୟ ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୩ ଶିଶୁ, ୪ ମହିଳା ଓ ୩ ପୁରୁଷ ରହିଛନ୍ତି। ଏବେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ସର୍ଟ ସର୍କିଟ ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ପାଇଁ ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ଏହାସହ ଆହତଙ୍କୁ ୧ ଲକ୍ଷ ଟଙ୍କା ଓ ସେମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି କହିଛନ୍ତି ଜୈନ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଦିଲ୍ଲୀର ଅନାଜ ମଣ୍ଡିରେ ଥିବା ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯିବା ଫଳରେ ପ୍ରାୟ ୪୩ ଜଣଙ୍କ ମୃତ୍ୟୁ ହୋଇଥିଲା।

Share