ନୂଆଦିଲ୍ଲୀ,୨।୫: ଦିଲ୍ଲୀ କପାଶେରାର ‘ଠେକେ ଓ୍ବାଲି ଗଲି’ ସ୍ଥିତ ଗୋଟିଏ ବିଲ୍ଡିଂରେ ୪୧ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ଗୋଟିଏ ସ୍ଥାନରୁ ଏତେ ପରିମାଣରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି। ସୂଚନା ମୁତାବକ ଡିସି କାର୍ଯ୍ୟାଳୟ ନିକଟରେ ଥିବା ‘ଠେକେ ଓ୍ବାଲି ଗଲି’ ସ୍ଥିତ ଉକ୍ତ ବିଲ୍ଡିଂରେ ଏପ୍ରିଲ ୧୮ରେ ପ୍ରଥମ କରୋନା ମାମଲା ସାମ୍ନାକୁ ଆସିଥିଲା। ପରେ ସୁରକ୍ଷା ଦୃଷ୍ଟିରୁ ଏହି ବିଲ୍ଡିଂକୁ ସିଲ୍ କରି ଦିଆଯାଇ ସମସ୍ତ ଲୋକଙ୍କ ଯାଞ୍ଚ କରାଯାଇଥିଲା। ତେବେ ଶନିବାର ଆସିଥିବା ରିପୋର୍ଟରେ ୪୧ରୁ ଲୋକ ଊର୍ଦ୍ଧ୍ୱ କରୋନା ପଜିଟିଭ୍ ବାହାରିଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୩୮ରେ ପହଞ୍ଚିଛି। ସେଥିମଧ୍ୟରୁ ୧୧୬୭ ସୁସ୍ଥ ହୋଇଥିବା ବେଳେ ୬୧ ଜଣଙ୍କର ମୃତ୍ୟୁ ଘଟିଛି।