Categories: ଖେଳ

ଦିଲ୍ଲୀ ଛାଡ଼ି ଉତ୍ତରାଖଣ୍ଡ ପାଇଁ ଖେଳିବେ ଉନ୍ମୁକ୍ତ ଚାନ୍ଦ

ନୂଆଦିଲ୍ଲୀ, ୩।୯- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ଚଳିତ ଘରୋଇ ସିଜନରେ ନୂଆ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବାର ନଜରକୁ ଆସିବେ। ଦିଲ୍ଲୀ ରଣ୍‌ଜୀ ଦଳ ପାଇଁ ୯ଟି ସିଜନ ଖେଳିବା ପରେ ଏହି ଉଦୀୟମାନ ଯୁବ ବ୍ୟାଟ୍ସମ୍ୟାନ ଚଳିତ ସିଜନରୁ ଉତ୍ତରାଖଣ୍ଡ ପକ୍ଷରୁ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଚାନ୍ଦ ୨୦୧୦ରେ ମାତ୍ର ୧୬ ବର୍ଷ ବୟସରେ ଦିଲ୍ଲୀ ପକ୍ଷରୁ ଲିଷ୍ଟ-ଏ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ଗୁଜରାଟ ବିପକ୍ଷରେ ସେ ନିଜର ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲେ। ସେହିଭଳି ୨୦୧୬ରେ ଗୌତମ ଗମ୍ଭୀର ଜାତୀୟ ଦଳ ପକ୍ଷରୁ ଖେଳୁଥିତ୍ବା ସମୟରେ ଚାନ୍ଦ ଦିଲ୍ଲୀ ରଣ୍‌ଜୀ ଦଳର ନେତୃତ୍ୱ ନେଇଥିଲେ। ତେବେ ଏହାପର ସିଜନରେ ଦଳରେ ଥାଇ ମଧ୍ୟ ଖରାପ ଫର୍ମ ଲାଗି ତାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ଦିଆଯାଇଥିଲା। ୨୦୧୮-୧୯ ସିଜନରେ ମଧ୍ୟ ହିତେନ ଦଲାଲ୍‌ଙ୍କୁ ଗମ୍ଭୀରଙ୍କ ଓପନର୍‌ ପାର୍ଟନର ଭାବେ ମନୋନୀତ କରାଯିବାରୁ ଚାନ୍ଦଙ୍କୁ ଦଳରେ ସ୍ଥାନ ମିଳି ନ ଥିଲା। ଏହି ୨୬ ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ଶେଷଥର ପାଇଁ ଏହି ୨୦୧୭ରେ କର୍ନାଟକ ବିପକ୍ଷରେ ନିଜର ଅନ୍ତିମ ରଣ୍‌ଜୀ ଟ୍ରଫି ମ୍ୟାଚ୍‌ ଖେଳିଥିଲେ। ସେହିଭଳି ୨୦୧୬-୧୭ ସିଜନରେ ଆଇପିଏଲ୍‌ର ନିଲାମୀର କିଛିଦିନ ପୂର୍ବରୁ ତାଙ୍କୁ ବିଜୟ ହଜାରେ ଟ୍ରଫିରୁ ବାଦ୍‌ ଦିଆଯାଇଥିଲା। ଫଳରେ ସେହିବର୍ଷ ଆଇପିଏଲ୍‌ ନିଲାମୀରେ ଚାନ୍ଦ ନିଲାମୀରେ ସ୍ଥାନ ପାଇ ନ ଥିଲେ। ୨୦୧୭ରୁ ସେ କୌଣସି ଆଇପିଏଲ୍‌ ଫ୍ରାଞ୍ଚାଇଜ ସହ ଚୁକ୍ତି କରିନାହାନ୍ତି।

Share