ଦିଲ୍ଲୀ ଜଗଜୀବନ ହସ୍ପିଟାଲର ଡାକ୍ତର ସମେତ ୭ଜଣ ଷ୍ଟାଫ୍‌ ସଂକ୍ରମିତ

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଶୁକ୍ରବାର ଦିଲ୍ଲୀ ବାବୁ ଜଗଜୀବନ ରାମ ହସ୍ପିଟାଲର ଡାକ୍ତର ସମେତ ୭ଜଣ ଷ୍ଟାଫ୍‌ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଉକ୍ତ ହସ୍ପିଟାଲରେ ଆଉ ୭ଜଣ ଜଣ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଥିଲେ। ଏହାକୁ ମିଶାଇ ଏପର୍ଯ୍ୟନ୍ତ ଉକ୍ତ ହସ୍ପିଟାଲର ଡାକ୍ତର ଓ ହସ୍ପିଟାଲର ଷ୍ଟାଫ୍‌ ମୋଟ ୧୪ ଜଣ ସଂକ୍ରମିତ ହୋଇସାରିଛନ୍ତି। ସେହିପରି ଛତରପୁର ନିକଟ ଚନ୍ଦନ ହୋଲା ଗାଁରେ ରହୁଥିବା ଜଣେ ଏମ୍ସ କର୍ମଚାରୀ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଯେଉଁ ବିଲ୍ଡିଂରେ ସଂକ୍ରମିତ ରୋଗୀ ରହୁଥିଲେ ସେଠାରେ ଏମ୍ସରେ କାମ କରୁଥିବା ଆହୁରି ୧୦୦ କର୍ମଚାରୀ ମଧ୍ୟ ରହୁଥିଲେ। ତେବେ ସୁରକ୍ଷା ଦୃଷ୍ଟିରୁ ସମସ୍ତ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଏତଦ୍‌ ବ୍ୟତୀତ ନର୍ଥ ଦିଲ୍ଲୀ ନଗର ନିଗମରେ ଜଣେ କର୍ମଚାରୀ କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ଏହାପରେ ୩୯ଲୋକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ସୂଚନା ମୁତାବକ ଦିଲ୍ଲୀରେ ଏପର୍ଯ୍ୟନ୍ତ ସର୍ବାଧିକ ୨୫୦୦ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଏଥିରେ ୫୦ଜଣଙ୍କର ମୃତ୍ୟୁ ଘଟିଛି।

Share