ଦିଲ୍ଲୀ ଦଙ୍ଗାପୀଡ଼ିତ ବିଏସ୍‌ଏଫ୍‌ ଯବାନଙ୍କୁ ସହାୟତା: ୧୦ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୩(ବ୍ୟୁରୋ): ଓଡ଼ିଶାରେ କାର୍ଯ୍ୟରତ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ଯବାନ ମହମ୍ମଦ ଅନିଶଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଦେବାପାଇଁ ଘୋଷଣା କରିଛନ୍ତି।
ନବମ ବାଟାଲିୟନରେ କାର୍ଯ୍ୟରତ ଅନିଶଙ୍କ ଘର ନୂଆଦିଲ୍ଲୀରେ। ନିକଟରେ ଦିଲ୍ଲୀରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାରେ ତାଙ୍କ ଘର ପୋଡ଼ି ଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଅନିଶଙ୍କ ସହ କଥା ହୋଇ ସାନ୍ତ୍ୱନା ଦେଇଛନ୍ତି। ଅନିଶ ମାଓବାଦୀପ୍ରବଣ ମାଲକାନଗିରି ଜିଲାରେ କାର୍ଯ୍ୟରତ ଅଛନ୍ତି। ସେ ମଧ୍ୟ ସ୍ବାଭିମାନ ଅଞ୍ଚଳର ସୁରକ୍ଷା ଦାୟିତ୍ୱ ତୁଲାଇଛନ୍ତି। ଏଥିପାଇଁ ଗୁରୁପ୍ରିୟା ସେତୁ ନିର୍ମାଣ ସୁରୁଖୁରୁରେ ହୋଇପାରିଛି। ଫେବୃୟାରୀ ୨୫ରେ ଉତ୍ତର-ପୂର୍ବ ଦିଲ୍ଲୀର ଖଜରୀଖାସ୍‌ ଅଞ୍ଚଳରେ ଅନିଶଙ୍କ ଦୁଇମହଲା ଘରକୁ ଦଙ୍ଗାକାରୀ ପୋଡ଼ି ଦେଇଛନ୍ତି। ବିଏସ୍‌ଏଫ୍‌ ତରଫରୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ ସହ ଉକ୍ତ ଘରକୁ ମରାମତି କରିବା ପାଇଁ ବିଏସ୍‌ଏଫ୍‌ ଇଞ୍ଜିନିୟରଙ୍କୁ ପଠାଇବାକୁ ଘୋଷଣା କରିଛି।

Share