Categories: ଜାତୀୟ

ଦିଲ୍ଲୀ ଦଙ୍ଗା: ମୃତ୍ୟୁସଂଖ୍ୟା ୪୩

ନୂଆଦିଲ୍ଲୀ,୨୯ା୨(ପି.ଟି.): କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଦିଲ୍ଲୀରେ ଚାଲିଥିବା ସଂଘର୍ଷରେ ମୃତ୍ୟୁସଂଖ୍ୟା ୪୩ ଛୁଇଁଛି। ଗୁରୁବାର ସୁଦ୍ଧା ୩୮ ଜଣଙ୍କ ଜୀବନ ଯାଇଥିବାବେଳେ ଶୁକ୍ରବାର ଗୁରୁ ତେଗ୍‌ ବାହାଦୁର (ଜିଟିବି) ହସ୍ପିଟାଲରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। ଜାଫରାବାଦ, ମୌଜପୁର, ଚାନ୍ଦବାଗ, ଖୁରେଜି ଖାସ ଓ ଭଜନପୁରା ଅଞ୍ଚଳରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗାରେ ୨୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଲୋକନାୟକ ଜୟପ୍ରକାଶ ହସ୍ପିଟାଲ ଓ ଜଗ୍‌ ପ୍ରବେଶ ଚନ୍ଦ୍ର ହସ୍ପିଟାଲରେ ଆହୁରି ଅନେକ ଗୁଳିବିଦ୍ଧ ପୀଡ଼ିତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ଅଧ୍ୟକ୍ଷା ରେଖା ଶର୍ମା ଶୁକ୍ରବାର ଉତ୍ତର-ପୂର୍ବ ଦିଲ୍ଲୀର ଜାଫରାବାଦର ଦଙ୍ଗାଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେ ମହିଳାମାନଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ରେଖା କହିଛନ୍ତି, ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। କିନ୍ତୁ ଅନେକ ସ୍ଥାନରେ ଉତ୍ତେଜନା ପ୍ରଶମିତ ହୋଇନାହିଁ। ସେ ଶନିବାର ମଧ୍ୟ ଆଉ କେତେକ ଅଞ୍ଚଳକୁ ଯାଇ ସ୍ଥିତି ସମୀକ୍ଷା କରିବେ ବୋଲି କହିଛନ୍ତି। ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜାଲ ମଧ୍ୟ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ଅନ୍ୟପକ୍ଷରେ ସାମ୍ପ୍ରଦାୟିକ ଦଙ୍ଗାରେ ୪୩ ଜଣଙ୍କ ଜୀବନ ଚାଲିଯିବା ପରେ ମଧ୍ୟ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ସାଧାରଣରେ ଏହାକୁ ନେଇ କୌଣସି ବକ୍ତବ୍ୟ ରଖି ନ ଥିବାରୁ ଏନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

Share