Categories: ଜାତୀୟ

ଦିଲ୍ଲୀ ଦଙ୍ଗା: ହ୍ବାଟସ୍‌ ଆପ୍‌ ଉପରେ କଡା ନଜର

ନୂଆଦିଲ୍ଲୀ,୨୯।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀରେ ଉପୁଜିଥିବା ଦଙ୍ଗା ପରେ ଏବେ ସ୍ଥିତି ସାମାନ୍ୟ ହେବାରେ ଲାଗିଛି। ଏହାପରେ ବି କିଛି ସ୍ଥାନରେ ଚାପା ଉତ୍ତେଜନା ଲାଗି ରହିଛି। ଏବେସୁଦ୍ଧା ଏହି ଦଙ୍ଗାରେ ୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩ଶହ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ପରିସ୍ଥିତିକୁ ଆୟତ୍ତକୁ ଆଣିବାକୁ ଉତ୍ତର-ପୂର୍ବ ଦିଲ୍ଲୀରେ ପ୍ରାୟ ୭ହଜାର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ ସହ ସାକ୍ଷାତ୍‌ କରିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ସେ ପ୍ରଥମଥର ପୁରୀଙ୍କ ସହ ସାକ୍ଷାତ୍‌ କରିଥିବା କହିଛନ୍ତି। ଦିଲ୍ଲୀର ଶାସନ ବ୍ୟବସ୍ଥାରେ ଅନେକ କିଛି ପୁରୀଙ୍କ ମନ୍ତ୍ରଣାଳୟ ଅନ୍ତର୍ଗତ ହୋଇଥିବାରୁ ଆମେ ଦୁହେଁ ମିଶି ଦିଲ୍ଲୀ ପାଇଁ କାମ କରିବୁ ବୋଲି କେଜରିଓ୍ବାଲ କହିଛନ୍ତି। ଦିଲ୍ଲୀ ସରକାରଙ୍କ ତରଫରୁ କୁହାଯାଇଛି କି ହ୍ବାଟସ୍‌ ଆପ୍‌ ମାଧ୍ୟମରେ ଉତ୍ତେଜନା ସୃଷ୍ଟି କରିବା ଭଳି ବାର୍ତ୍ତା ଭାଇରାଲ ହେଉଛି। ତେଣୁ ଏଭଳି ବାର୍ତ୍ତା ଯେଉଁମାନଙ୍କ ନିକଟକୁ ଆସୁଛି ସେମାନେ ତୁରନ୍ତ ଅଭିଯୋଗ କରନ୍ତୁ ବୋଲି ଦିଲ୍ଲୀ ସରକାର କହିଛନ୍ତି। ଏଥିପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ହ୍ବାଟସ୍‌ ଆପ୍‌ ନମ୍ବର ଜାରି କରାଯିବ। ଯେଇଁଥିରେ ଏସମ୍ପର୍କିତ ଅଭିଯୋଗ କରିବାକୁ କହିଛନ୍ତି ସରକାର।

Share