ଭବାନୀପାଟଣା,୧୧ା୬(ସ୍ବ.ପ୍ର.) : କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ସରପଞ୍ଚ ନନ୍ଦିତା ସାହୁ ଦିଲ୍ଲୀ ଫେରନ୍ତା ପୁଅକୁ ଘରକୁ ନ ନେଇ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରଖିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ‘ଧରିତ୍ରୀ’ରେ ପ୍ରକାଶିତ ଖବରକୁ ଟୁଇ୍ଟରେ ଗମ୍ଭାରୀଗୁଡ଼ା ସରପଞ୍ଚ ନନ୍ଦିତା ସାହୁଙ୍କ ଉଦ୍ୟମ ପ୍ରଶଂସନୀୟ ଓ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍ ପରେ ଗମ୍ଭାରୀଗୁଡ଼ା ପଞ୍ଚାୟତ ଓ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ପ୍ରକାଶ ଯେ,ଗମ୍ଭାରୀଗୁଡ଼ା ସରପଞ୍ଚ ନନ୍ଦିତା ସାହୁ ନିଜ ଦିଲ୍ଲୀ ଫେରନ୍ତା ପୁଅକୁ ନିଜ ଘରକୁ ନ ନେଇ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରଖିଥିଲେ। ସେ ସରପଞ୍ଚଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ତଥା ସରକାରଙ୍କ ନିର୍ଦ୍ଦେଶ ସଠିକ୍ ଭାବେ ପାଳନ କରିବାକୁ ଯାଇ ନିଜ ପୁଅକୁ ମଧ୍ୟ ଘରକୁ ନେଇ ନ ଥିଲେ। ଏହି ଘଟଣା ସମ୍ପର୍କରେ ବୁଧବାର ‘ଧରିତ୍ରୀ’ରେ ଏକ ଖବର ପ୍ରକାଶ ପାଇଥିଲା। ସେହିପରି ରାଜ୍ୟ ସରକାରଙ୍କ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ଓ ରାଜ୍ୟସଭା ଏମ୍ପି ସୁଜିତ୍ କୁମାର ଏହି ଖବରକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।