Categories: ଖେଳ

ଦିଲ୍ଲୀ ଫ୍ରାଞ୍ଚାଇଜ୍‌ରେ ଯୋଗଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୮।୧୧(ପି.ଟି.)-ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଶୁକ୍ରବାର ଆଇପିଏଲ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗ ଦେଇଛନ୍ତି। ତାଙ୍କ ବଦଳରେ ବାମହାତୀ ଜଗଦୀଶ ସୁଚିଥଙ୍କୁ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳରେ ସାମିଲ କରିଛି। ପୂର୍ବରୁ ଦିଲ୍ଲୀ ଅଶ୍ୱିନଙ୍କ ବଦଳରେ ସୁଚିଥଙ୍କ ସହ ଦେଢ଼ କୋଟି ଟଙ୍କାର ପ୍ରସ୍ତାବ ଦେଇଥିଲା। ୩୩ ବର୍ଷୀୟ ସିନିୟର ସ୍ପିନରଙ୍କୁ ସିଜନ ପିଛା ଗତବର୍ଷ ଭଳି ୭.୬ କୋଟି ଟଙ୍କା ମିଳିବ। ସମାନ ମୂଲ୍ୟରେ ୨୦୧୮ ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ଅଶ୍ୱିନଙ୍କୁ କିଙ୍ଗ୍ସ ଏକାଦଶ କିଣିଥିଲା। ସେ ଦେଶର ଶ୍ରେଷ୍ଠ ଓ ଅଭିଜ୍ଞ ସ୍ପିନର। ଭାରତ ଓ ଆଇପିଏଲରେ ତାଙ୍କ ରେକର୍ଡ ଖୁବ ଭଲ ରହିଛି। ତାଙ୍କ ଉପସ୍ଥିତି ଆମ ଦଳ ପାଇଁ ଲାଭଜନକ ହେବ ବୋଲି ଦିଲ୍ଲୀ ଫ୍ରାଞ୍ଚାଇଜ ସହ ମାଲିକ ପାର୍ଥ ଜିନ୍ଦଲ କହିଛନ୍ତି। ଅଶ୍ୱିନଙ୍କ ଉପସ୍ଥିତିରେ ଯେ କୌଣସି ଦଳର ଶକ୍ତି ବୃଦ୍ଧି ହେବ, ଏଥିରେ ଦ୍ୱିମତ ନାହିଁ। ଦିଲ୍ଲୀ କ୍ୟାପିଟାଲ୍ସରେ ମଧ୍ୟ କିଛି ପରିିବର୍ତ୍ତନ ହେବ ନାହିଁ ବୋଲି କୋଚ୍‌ ରିକି ପଣ୍ଟିଂ ଉଲ୍ଲେଖ କରିଛନ୍ତି। ଅଶ୍ୱିନ ଅନ୍ତର୍ଜାତୀୟ ସ୍ତରରେ ୬୮ ଟେଷ୍ଟ ଓ ୧୧୧ ଦିନିକିଆ ଖେଳି ଯଥାକ୍ରମେ ୩୫୭ ଓ ୧୫୦ ଉଇକେଟ ଅକ୍ତିଆର କରିଛନ୍ତି। ଆଇପିଏଲରେ ୧୩୯ ମ୍ୟାଚ୍‌ରେ ୧୨୫ ଉଇକେଟ ନେଇଛନ୍ତି। ୨୦୧୦ ଓ ୨୦୧୧ ଆଇପିଏଲ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ସେ ପ୍ରମୁଖ ସଦସ୍ୟ ଥିଲେ। ତେବେ ଜଣେ ଅଧିନାୟକ ଭାବେ ସେ ବିଫଳ ହୋଇଥିଲେ। ଗତ ଦୁଇ ସିଜନରେ ତାଙ୍କ ନେତୃତ୍ୱରେ ପଞ୍ଜାବ ଦଳ ପ୍ଲେ-ଅଫ୍‌ରେ ପ୍ରବେଶ କରିପାରି ନ ଥିଲା।

Share