Categories: ଖେଳ

ଦିଲ୍ଲୀ ବାୟୁ ପ୍ରଦୂଷଣ ଯୋଗୁ ଆଶଙ୍କାରେ ପ୍ରଥମ ଟି୨୦

ନୂଆଦିଲ୍ଲୀ, ୨୭।୧୦(ପି.ଟି)- ଦୀପାବଳି ପରେ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣରେ ଅବନତୀ ହେବାର ସମ୍ଭାବନା ଥିଲେ ମଧ୍ୟ ଚିନ୍ତାଜନକ ରହିବ। ତେଣୁ ନଭେମ୍ବର ୩ ତାରିଖରେ ସ୍ଥାନୀୟ ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି୨୦ ମ୍ୟାଚ୍‌ ଆୟୋଜନ ନେଇ ଆଶଙ୍କା ପ୍ରକାଶ ପାଇଛି।
ପୂର୍ବରୁ ୨୦୧୭ରେ ଠିକ୍‌ ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। କୋଟଲାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ ବାୟୁ ପ୍ରଦୂଷଣ ଯୋଗୁ ପ୍ରଭାବିତ ହୋଇଥିଲା। କେତେକ ଶ୍ରୀଲଙ୍କା ଖେଳାଳି ମାସ୍କ ପିନ୍ଧି ଖେଳିଥିଲେ। ଏପରିକି ଆଉ କେତେକ ଅସୁସ୍ଥ ହୋଇ ପଡିଥିଲେ।
ରୋଟେଶନ ପଲିସି ଓ ଭ୍ରମଣକାରୀ ଦଳର ଟ୍ରାଭେଲ ରୁଟ୍‌ ପାଇଁ ବିସିସିଆଇ ପ୍ରଥମ ଟି୨୦କୁ ଦିଲ୍ଲୀରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ପ୍ରଥମ ଟି୨୦ ମ୍ୟାଚ୍‌ ରାତିରେ ଖେଳାଯିବାର କାର୍ଯ୍ୟକ୍ରମ ଥିବାରୁ ପ୍ରଦୂଷଣର ପ୍ରଭାବ ପଡିବ ନାହିଁ ବୋଲି ବିସିସିଆଇ ଆଶା କରୁଛି। ଦୀପାବଳି ପୂର୍ବରୁ ଦିଲ୍ଳୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ପୂରା ଖରାପ ରହିଛି। ଏକ୍ୟୁଆଇ ଷ୍ଟାଣ୍ଡାର୍ଡ ଅନୁସାରେ ୦- ୫୦କୁ ଭଲ ବୋଲି କୁହାଯାଇଥାଏ। ୫୧- ୧୦୦ ସନ୍ତୋଷଜନକ, ୧୦୧- ୨୦୦ ମଡରେଟ ଓ ୩୦୧- ୪୦୦କୁ ଅତି ଖରାପ ବୋଲି କୁହାଯାଇଥାଏ। ୪୦୦ରୁ ଉର୍ଦ୍ଧ୍ୱ ଏକ୍ୟୁଆଇକୁ ଅତି ଖରାପ ବୋଲି ଅଭିହିତ କରାଯାଇଥାଏ।
ଦୀପାବଳିର ଗୋଟିଏ ସପ୍ତାହ ପରେ ମ୍ୟାଚ ଆୟୋଜନ ହେବାକୁ ଯାଉଥିବାରୁ ବାୟୁ ପ୍ରଦୂଷଣ ନିଶ୍ଚିତ ଭାବେ କମିବ ବୋଲି ବିସିସିଆଇ ଓ ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) ଅଧିକାରୀମାନେ ଆଶା ପ୍ରକାଶ କରିଛନ୍ତି। ତେଣୁ ମ୍ୟାଚ୍‌ ବେଳେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣରେ ରହିବ ବୋଲି କୁହାଯାଇଛି। ଏଭଳି ପରିସ୍ଥିତିରେ ବିସିସିଆଇର ରୋଟେଶନ ପଲିସି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆବଶ୍ୟକ ପଡିଲେ ବାଂଲାଦେଶ ଖେଳାଳିମାନେ ମ୍ୟାଚ୍‌ ଅବସରରେ ମାସ୍କ ପିନ୍ଧିବେ ବୋଲି ଆଶା କରାଯାଉଛି।

Share