ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସୁଦର୍ଶନ ଓ ଦୂତୀ: ଛାତ୍ରୀଛାତ୍ରଙ୍କୁ କହିଲେ ନିଜ ସଂଘର୍ଷ କାହାଣୀ

ପୁରୀ ଅଫିସ, ୨୫।୮: ନିଜ ନିଜ କ୍ଷେତ୍ରରେ ବେଶ୍‌ ସଫଳତା ଅର୍ଜନ କରି ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବ ପାଲଟିଥିବା ୨ ଓଡ଼ିଆ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ଦୌଡ଼ରାଣୀ ଦୂତୀ ଚାନ୍ଦ ଶନିବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ବଖାଣିଛନ୍ତି ସେମାନଙ୍କ ସଂଘର୍ଷର କାହାଣୀ। ପ୍ରଥମଥର ପାଇଁ ଦୁହେଁ ଟେଡେକ୍ସ ସ୍ପିକର ଭାବେ ନିମନ୍ତ୍ରିତ ହୋଇ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ କହିଛନ୍ତି ବହୁ ଅକୁହା କଥା। ବାଲୁକା କଳା ପ୍ରତି କାହିଁକି ମନ ଢଳିଲା ଆଉ ପୁରୀ ବେଳାଭୂମି କିପରି ତାଙ୍କ ପାଇଁ ଆଶୀର୍ବାଦ ପାଲଟିଥିଲା ତାହା ବଖାଣିବା ସହ ଆରମ୍ଭରୁ କିପରି ସଂଘର୍ଷ କରିଥିଲେ ସେ ସମ୍ପର୍କରେ କହିଥିଲେ ସୁଦର୍ଶନ। ଏହି ଅବସରରେ ସେ ବାଲୁକା କଳା ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ। ଏହା ମାଧ୍ୟମରେ ସେ କିପରି ବିଶ୍ୱବାସୀଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟି ପାରୁଛନ୍ତି ସେ ବିଷୟରେ ମଧ୍ୟ ଅବଗତ କରାଇଥିଲେ। ସୁଦର୍ଶନଙ୍କ ବାଲୁକା କଳାକୁ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ପ୍ରେଜେଣ୍ଟେଶନ ପ୍ରସ୍ତୁତ କରାଯାଇଥିଲା। ସେହିପରି ଅନ୍ୟତମ ଓଡ଼ିଆ ଧାବିକା ଦୂତୀ ତାଙ୍କ ସଂଘର୍ଷମୟ ଜୀବନୀ ବିଷୟରେ କହିଥିଲେ। ଗଁା ମାଟିରେ ଖାଲି ପାଦରେ କିପରି ଦୌଡ଼ ଆରମ୍ଭ କରି ଆଜି ଅନ୍ତର୍ଜାତୀୟ ଟ୍ରାକ୍‌ରେ ଚମକିଛନ୍ତି ସେ କଥା ବଖାଣିଥିଲେ। ତାଙ୍କ ଜୀବନରେ ଅନେକ ଉତ୍‌ଥାନ ପତନ ଆସିଛି। ହେଲେ ସେ କେବେ ନିଜ ଉପରୁ ବିଶ୍ୱାସ ହରାଇ ନ ଥିଲେ କି ଭାଙ୍ଗିପଡ଼ି ନ ଥିଲେ। ନିଜ ଲକ୍ଷ୍ୟ ପଥରେ ସ୍ଥିର ରହିଥିଲେ। ଅଲିମ୍ପିକରେ ସଫଳତା ହିଁ ତାଙ୍କ ସ୍ବପ୍ନ ବୋଲି କହିଥିଲେ ଏହି ଓଡ଼ିଆ ଝିଅ।

Share