ଦିଲ୍ଲୀ ମରକଜରେ ସାମିଲ ହୋଇଥିବା ହଜାରେ କରୋନା ସଂକ୍ରମିତ ସୁସ୍ଥ

ନୂଆଦିଲ୍ଲୀ,୬।୫: ଦିଲ୍ଲୀ ନିଜାମୁଦ୍ଦିନ ସ୍ଥିତ ତବଲିଘି ଜମାତ ସହ ଜଡ଼ିତ ଥିବା ଲୋକଙ୍କୁ ନେଇ ଦିଲ୍ଲୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ତବଲିଘି ଜମାତ ସହ ଜଡ଼ିତ ଥିବା ପ୍ରାୟ ୧ହଜାର କରୋନା ସଂକ୍ରମିତ ରୋଗୀ ସୁସ୍ଥ ହୋଇଥିବା ନେଇ ବୁଧବାର ଦିଲ୍ଲୀର ସ୍ବାସ୍ଥ୍ୟ ଓ ଗୃହମନ୍ତ୍ରୀ ସତେନ୍ଦ୍ର ଜୈନ ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ସୁସ୍ଥ ହୋଇଥିବା ରୋଗୀ ଏବେ ସେମାନଙ୍କ ଘରକୁ ଯାଇପାରିବେ ଏବଂ ଯେଉଁମାନଙ୍କ ଉପରେ ମାମଲା ରହିଛି ପୋଲିସ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିପାରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ଶେଷ ସପ୍ତାହରେ ନିଜାମୁଦ୍ଦିନ ସ୍ଥତ ତବଲିଘି ଜମାତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ଲୋକମାନେ ଯୋଗଦେଇଥିବା ବେଳେ ପ୍ରାୟ ୪ହଜାର ଉର୍ଦ୍ଧ୍ୱ ଲୋକ ଧରାପଡ଼ିଥିଲେ। ସେଥିମଧ୍ୟରୁ ଏକ ହଜାରରୁ ଊର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ଅନ୍ୟମାନଙ୍କୁ ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା। ତେବେ ସୁସ୍ଥ ହୋଇଥିବା ବ୍ୟକ୍ତି ଓ କ୍ୱାରାଣ୍ଟାଇନ୍‌ ସମୟ ସୀମା ଶେଷ କରିଥିବା ଜମାତିଙ୍କୁ ଘରକୁ ଯିବା ପାଇଁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Share