ଦିଲ୍ଲୀ-ମସ୍କୋ ଏୟାର ଇଣ୍ଡିଆ ବିମାନ ପାଇଲଟ୍‌ କରୋନା ପଜିଟିଭ୍‌: ଉଡ଼ାଣ ବାତିଲ

ନୂଆଦିଲ୍ଲୀ,୩୦।୫: ଏୟାର ଇଣ୍ଡିଆର ଦିଲ୍ଲୀ-ମସ୍କୋ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ଏହି ବିମାନର ପାଇଲଟ୍‌ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ଏୟାର ଇଣ୍ଡିଆ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶନିବାର ସକାଳେ ରିପୋର୍ଟ ସମ୍ପର୍କରେ ଜଣାପଡ଼ିବା ପରେ ବିମାନକୁ ଉଜବେକିସ୍ତାନଠାରୁ ଦିଲ୍ଲୀ ଫେରାଇ ଅଣାଯାଇଛି। ଭୁଲ୍‌ରେ ପାଇଲଟ୍‌ଙ୍କ କରୋନା ପଜିଟିଭ୍‌ ରିପୋର୍ଟକୁ ନେଗେଟିଭ୍‌ ଭାବେ ପଢ଼ାଯାଇଥିବାରୁ ଏଭଳି ଅସୁବିଧା ସୃଷ୍ଟି ହୋଇଥିବା କୁହାଯାଉଛି। ଏୟାର ଇଣ୍ଡିଆର ଏ-୩୨୦ ନିଓ(ଭିଟି-ଇଏକ୍ସ୍‌ଆର୍‌) ବିମାନ ଦିଲ୍ଲୀରେ ମଧ୍ୟାହ୍ନ ୧୨ଟା ୩୦ରେ ପହଞ୍ଚିବା ପରେ କ୍ରିୟୁ ସଦସ୍ୟଙ୍କୁ କ୍ୱାରାଣ୍ଟାଇନ୍‌ କରାଯାଇଛି। ବିମାନକୁ ସାନିଟାଇଜ୍‌ କରାଯାଇଛି। ଏହାପରେ ମସ୍କୋରେ ଅଟକି ଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଏନ୍ୟ ଏକ ବିମାନକୁ ପଠାଯାଇଛି।

Share