ଦିଲ୍ଲୀ ମାକ୍ସ ହସ୍ପିଟାଲର ୧୫୦କର୍ମଚାରୀ ସେଲ୍ଫ କ୍ୱାରାଣ୍ଟାଇନ୍‌

ନୂଆଦିଲ୍ଲୀ, ୧୩।୪: ଦିଲ୍ଲୀର ସାକେତ ସ୍ଥିତ ମାକ୍ସ ହସ୍ପିଟାଲରେ ୧୫୦ କର୍ମଚାରୀଙ୍କୁ ସେଲ୍ଫ କ୍ୱାରାଣ୍ଟାଇନ୍‌ରେ ପଠାଇ ଦିଆଯାଇଛି। ଏମାନେ ସମସ୍ତେ ୨ଜଣ କରୋନା ପଜିଟିଭ୍‌ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ହସ୍ପିଟାଲର କର୍ମଚାରୀଙ୍କ ମଧ୍ୟରେ ଡାକ୍ତର, ନର୍ସ ଓ ଓ୍ବାର୍ଡ ବୟ ସାମିଲ ରହିଛନ୍ତି। ସୂଚନାଯୋଗ୍ୟ, ୨ଜଣ କରୋନା ସଂକ୍ରମିତ ରୋଗୀ କିଛି ଦିନ ପୂର୍ବରୁ ହୃଦ୍‌ ରୋଗ ସମସ୍ୟା ପାଇଁ ମାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପରେ ତାଙ୍କର ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀଙ୍କ ଯାଞ୍ଚ ଆରମ୍ଭ କରାଯାଇଥିଲା। ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ, କରୋନା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ପ୍ରାୟ ୧୫୦ ଜଣ କର୍ମଚାରୀ ଆସିଥିଲେ। ଏପର୍ଯ୍ୟନ୍ତ ସେମାନଙ୍କ ନିକଟରେ କୌଣସି କରୋନା ଲକ୍ଷଣ ଦେଖାଯାଇ ନ ଥିବା ବେଳେ ସମସ୍ତଙ୍କର ରକ୍ତ ନମୁନା ଯାଞ୍ଚ କରାଯିବ। ତେବେ ସୁରକ୍ଷା ଦୃଷ୍ଟିରୁ ୧୫୦ କର୍ମଚାରୀଙ୍କୁ ସେଲ୍ଫ କ୍ୱାରାଣ୍ଟାଇନ୍‌ରେ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ଅପରପକ୍ଷେ ସେମାନଙ୍କରୁ ମଧ୍ୟରୁ ପ୍ରାୟ ୩୯ଜଣଙ୍କୁ ହସ୍ପିଟାଲର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି ବୋଲି ମାକ୍ସ ହସ୍ପିଟାଲର କର୍ତ୍ତୃପକ୍ଷ କହିଛନ୍ତି।

Share