Categories: ଜାତୀୟ

ଦିଲ୍ଲୀ ହିଂସା: ଆଖିରେ କଳାପଟି ବାନ୍ଧି ଏମ୍‌ପିଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୨।୩: ଦିଲ୍ଲୀରେ ଉପୁଜିଥିବା ଦଙ୍ଗାକୁ ନେଇ ସୋମବାର ସଂସଦ ଭବନରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ଏମ୍‌ପିମାନେ ଆଖିରେ କଳାପଟି ବାନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି। ଏମାନେ ଆଖିରେ କଳାପଟି ବାନ୍ଧିବା ସହ ପାଟିରେ ଆଙ୍ଗୁଠି ଦେଇଥିବା ଦେଖାଯାଇଥିଲା। ଏମାନଙ୍କ ମଧ୍ୟରେ ଥିବା ଏମ୍‌ପି ମହୁଆ ମୌତ୍ରା କହିଛନ୍ତି ଆମର ବିରୋଧ ସାଙ୍କେତିକ। ଆଉ ଆମେ ଏହା କହିବାକୁ ଚାହୁଁଛୁ ଯେ ବର୍ତ୍ତମାନ ଯାହା ଘଟୁଛି ତାହା ଆମ ସରକାରଙ୍କୁ ଦେଖାଯାଉ ନାହିଁ କାରଣ ଆମ ସରକାର ଦୃଷ୍ଟିହୀନ। ପୋଲିସ ମଧ୍ୟ ଦୃଷ୍ଟିହୀନ ବୋଲି ସେ କହିଛନ୍ତି। ଆଉ ପାଟିରେ ଆଙ୍ଗୁଠି ରଖିବାର ଅର୍ଥ ଉତ୍ତର-ପୂର୍ବ ଦିଲ୍ଲୀରେ ଏତେବଡ ଘଟଣା ଘଟିଯାଇଥିବା ବେଳେ ସରକାର କେମିତି ଏହାକୁ ନେଇ ଚୁପ ରହିଛନ୍ତି। ପ୍ରଧାନମନ୍ତ୍ରୀ ମନ କି ବାତ କହୁଥିବା ବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅନ୍ୟ କଥା କହୁଛନ୍ତି ହେଲେ ଦିଲ୍ଲୀ ଦଙ୍ଗାକୁ ନେଇ ଏମାନେ ଚୁପ୍‌ ରହିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀରେ ଉପୁଜିଥିବା ଦଙ୍ଗାରେ ଏପର୍ଯ୍ୟନ୍ତ ୪୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

Share