Categories: ଜାତୀୟ

ଦିଲ୍ଲୀ ହିଂସା: ତାହିରଙ୍କ ଘରେ ପହଞ୍ଚିଲା କ୍ରାଇମ୍‌ ବ୍ରାଞ୍ଚ ଟିମ୍‌

ନୂଆଦିଲ୍ଲୀ,୨୮।୨: ସାମୂହିକ ଭାବେ ବହିଷ୍କୃତ ହୋଇଥିବା ଆମ ଆଦମୀ ପାର୍ଟି (ଏଏପି) ନେତା ତାହିର ହୁସେନଙ୍କ ଅଡ଼ୁଆ ଏବେ ବଢ଼ିବାରେ ଲାଗିଛି। ତାହିରଙ୍କ ବିରୋଧରେ ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଉସୁକାଇବା ଅଭିଯୋଗ ହୋଇଛି। ଏନେଇ ଦୟାଲପୁର ଥାନାରେ ତାଙ୍କ ନାଁରେ ଏତଲା ରୁଜୁ କରାଯାଇଛି। ଏତଲା ରୁଜୁ ହେବା ପରେ ଦିଲ୍ଲୀର ଖଜୁରୀ ଅଞ୍ଚଳରେ ଥିବା ତାଙ୍କ ଘରକୁ ସିଲ୍‌ କରି ଦିଆଯାଇଥିବା ଜଣାପଡ଼ିଛି। ଅପରପକ୍ଷେ ଏହି ମାମଲାର ଯାଞ୍ଚ ପାଇଁ ଶୁକ୍ରବାର ତାହିରଙ୍କ ଘରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟି ଟିମ୍‌ ଓ ଫରେନ୍‌ସିକ୍‌ ଟିମ୍‌ ପହଞ୍ଚି ଯାଞ୍ଚ କରିଛି। ସୁରକ୍ଷା ଦୃଷ୍ଟି ଏବଂ ପ୍ରମାଣ ପତ୍ରକୁ ନଷ୍ଟ ନ କରିବା ଉଦ୍ଦେଶ୍ୟରେ ଉକ୍ତ ବିଲ୍ଡିଂର ଆଖପାଖ ଅଞ୍ଚଳକୁ ସିଲ୍‌ କରିଦିଆଯାଇଛି। କୌଣସି ବ୍ୟକ୍ତିଙ୍କୁ ବିଲ୍ଡିଂ ପାଖକୁ ଯିବା ପାଇଁ ଅନୁମତି ଦିଆଯାଇନାହିଁ। ସୂଚନାଯୋଗ୍ୟ, ତାହିରଙ୍କ ବିରୋଧରେ ଉତ୍ତର-ପୂର୍ବ ଅଞ୍ଚଳରେ ହୋଇଥିବା ହିଂସାକୁ ଉସୁକାଇବା, ହତ୍ୟା କରିବା ଅଭିଯୋଗ ହୋଇଛି। ଗୁରୁବାର ହିଂସା ପରେ ସର୍ଚ୍ଚ ଅପରେଶନ୍‌ରେ ତାଙ୍କ ଘରୁ ପେଟ୍ରୋଲ ବମ୍‌, ପଥର ଓ ହିଂସା ପାଇଁ ବ୍ୟବହୃତ କିଛି ସାମଗ୍ରୀ ମିଳିଥିଲା। ତେବେ ଏହି ଅଭିଯୋଗ ଆସିବା ପରେ ଗୁରୁବାର ଏଏପି ତାଙ୍କୁ ସାମୂହିକ ଭାବେ ଦଳରୁ ବହିଷ୍କୃତ କରିଛି।

Share