Categories: ଖେଳ

ଦିଲ୍ଲୀ ୫ ଉଇକେଟରେ ବିଜୟୀ

ନୂଆଦିଲ୍ଲୀ,୨୧।୪(ପି.ଟି.)- ଆଇପିଏଲ୍‌ର ୩୭ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୨ଟି ବଲ ବାକିଥାଇ ୫ ଉଇକେଟରେ କିଙ୍ଗ୍ସ ଇଲେଭେନକୁ ପରାସ୍ତ କରିଛି। ସ୍ଥାନୀୟ ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପଞ୍ଜାବ ୭ ଉଇକେଟ ହରାଇ ୧୬୩ ରନ ସଂଗ୍ରହ କରିଥିଲା। ଜବାବରେ ଦିଲ୍ଲୀ ୧୯.୪ ଓଭରରେ ୫ ଉଇକେଟ ହରାଇ ୧୬୬ ରନ କରି ବିଜୟୀ ହୋଇଛି। ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବା ଦିଲ୍ଲୀ ଅଧିନାୟକ ଶ୍ରେୟାସ ଆୟାର ପ୍ଲେୟାର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି।
୧୬୪ ରନ ଟାର୍ଗେଟର ପିଛା କରିଥିବା ଦିଲ୍ଲୀ ତରଫରୁ ଆୟାର ୪୯ ବଲରୁ ୫ ଚୌକା ଓ ୧ ଛକା ସହ ୫୮ ରନ ସଂଗ୍ରହ କରି ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଭିଜ୍ଞ ଶିଖର ଧାଓ୍ବନ ୪୧ ବଲରୁ ୭ ଚୌକା ଓ ୧ ଛକା ସହ ୫୬, ପୃଥ୍ବୀ ଶ ୧୩, କଲିନ୍‌ ଇନ୍‌ଗ୍ରାମ ୧୯, ରିଷଭ ପନ୍ତ ୬, ଅକ୍ଷର ପଟେଲ ୧ ରନ କରି ଆଉଟ ହୋଇଥିବା ବେଳେ ଶେରଫାନ ରଦରଫୋର୍ଡ ୨ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ପଞ୍ଜାବ ତରଫରୁ ହାର୍ଡୁସ ଭିଲଜୋଏନ ୨ ଓ ମହମ୍ମଦ ସାମି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ଲୋକେଶ ରାହୁଲଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ରାହୁଲ ୧୨ ରନ କରି ଆଉଟ ହେବା ପରେ ମୟଙ୍କ ଅଗ୍ରଓ୍ବାଲ ୨ ରନ କରି ନିରାଶ କରିଥିଲେ। କ୍ରିସ୍‌ ଗେଲ ଓ ମନଦୀପ ସିଂଙ୍କୁ ବାଦ ଦେଲେ ଅନ୍ୟମାନେ ସଫଳ ହୋଇ ନ ଥିଲେ। ଗେଲ୍‌ ୩୭ ବଲରୁ ୬ ଚୌକା ଓ ୫ ଛକା ସହ ୬୯ ରନ, ଡେଭିଡ ମିଲର ୭, ସାମ କୁରାନ ବିନା ସ୍କୋରରେ ଆଉଟ ହୋଇଥିଲେ। ମନଦୀପ ସିଂ ୨୭ ବଲରୁ ୧ ଚୌକା ଓ ୧ ଛକା ସହ ୩୦ ରନ କରିଥିଲେ। ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ ୧୬ ରନ କରି ଆଉଟ ହୋଇଥିଲେ। ହରପ୍ରୀତ ବ୍ରାର ୨୦ ଓ ହାର୍ଡୁସ ଭିଲଜୋଏନ ୍‌ ୨ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଲାମିଚେନ୍‌ ୩, ରାବାଡ଼ା ଓ ଅକ୍ଷର ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
କିଙ୍ଗ୍ସ ଇଲେଭେନ ପଞ୍ଜାବ ୨୦ ଓଭରରେ ୧୬୩/୭
(ଗେଲ୍‌- ୬୯, ମନଦୀପ- ୩୦, ହରପ୍ରୀତ- ୨୦*, ଲାମିଚେନ- ୩/ ୪୦, ରାବାଡ଼ା- ୨/୨୩, ଅକ୍ଷର- ୨୨)।
ଦିଲ୍ଲୀ କ୍ୟାପିଟାଲ୍ସ ୧୯.୪ ଓଭରରେ ୧୬୬/୫
(ଆୟାର- ୫୮*, ଧାଓ୍ବନ- ୫୬, ଭିଲଜୋଏନ- ୨/୩୯)।

Share