‘ଦି ରଥ’କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ବିଜୁ ପଟ୍ଟନାୟକ ପାର୍କରେ ସ୍ଥାପନ କରାଯାଇଥିବା ଇସ୍ପାତ ନିର୍ମିତ ସ୍ଥାପତ୍ୟକଳାକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଏବଂ ଟାଟା ଷ୍ଟିଲ୍‌ର ମିଳିତ ପ୍ରୟାସରେ ନିର୍ମିତ ଏହି ସ୍ଥାପତ୍ୟ ‘ଦି ରଥ’କୁ ମୁଖ୍ୟମନ୍ତ୍ରୀ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି। ୧୩.୫ ଟନ୍‌ ଟାଟା ଷ୍ଟ୍ରକ୍‌ଚରାଲ ଷ୍ଟିଲ ହଲୋ ସେକ୍ସନକୁ ବ୍ୟବହାର କରି ନିର୍ମିିତ ହୋଇଥିବା ଏହି ସ୍ଥାପତ୍ୟରେ ସୂର୍ଯ୍ୟ ମନ୍ଦିର ଓ ରଥ ଯାତ୍ରାର ଯୁଗଳବନ୍ଦୀ ଚିତ୍ର ପ୍ରତିଫଳିତ ହୋଇଛି। ଏହାସହ ଏଥିରେ ଓଡ଼ିଶାର ଆତ୍ମା ତଥା ଓଡ଼ିଶାର ବିବିଧ କଳା, ସଂସ୍କୃତି ଓ ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ କରାଯାଇଛି। ଭବିଷ୍ୟତର ଧାତୁ ‘ଇସ୍ପାତ’କୁ ନେଇ ନିର୍ମିତ ଏବଂ ଅତ୍ୟାଧୁନିକ ଉପକରଣରେ ପ୍ରସ୍ତୁତ ‘ଦି ରଥ’ ୩ଟି ବିନ୍ଦୁ ଉପରେ ଭୂପୃଷ୍ଠରେ ସର୍ବନିମ୍ନ ପାଦ ରଖି ଠିଆ ହୋଇଛି। ଘୂର୍ଣ୍ଣାୟମାନ ପଲିଗୋନାଲ୍‌ ଫ୍ରେମ୍‌କୁ ଏକ ୧୨୦ ଡିଗ୍ରି ଟ୍ରାଇ-ଆକ୍ସିସ ଉପରେ ରଖାଯାଇଛି। ଏହା ୮ ଘଣ୍ଟା ସବ୍‌ଡିଭିଜନ, ୨୪ ଘଣ୍ଟିଆ ଚକ୍ର ଏବଂ ସମୟର ପରିକଳ୍ପନାକୁ ଉପସ୍ଥାପିତ କରୁଛି। ଷ୍ଟ୍ରକ୍‌ଚରାଲ ଷ୍ଟିଲର ଜାଲକୁ ନେଇ ଏହାର ଡିଜାଇନ ପ୍ରସ୍ତୁତ କରାଯାଇଥିବା ବେଳେ ଏହା ଅବ୍ୟବହୃତ ସାମଗ୍ରୀ ବ୍ୟବହାର କରିବାର ବାର୍ତ୍ତାଦେଉଛି। ‘ଦି ରଥ’ର ପାଭିଲିଅନ ଡିଜାଇନକୁ ତିନିଟି ସ୍ତରରେ ଅନୁଭବ କରିହେଉଥିବାବେଳେ ଏହାର ତଳେ ଏକ ଆମ୍ପିଥିଏଟର ରହିଛି। ଏହାର ସ୍ଥାପତ୍ୟ ଡିଜାଇନ୍‌ ନୁରୁ କରିମ କରିଥିବାବେଳେ ସାଗର ବିଜ୍‌ନେସ ପ୍ରାଇଭେଟ ଲିମିଟେଡ୍‌ ଏହି ପ୍ରକଳ୍ପ ନିର୍ମାଣ କରିଛି। ଟାଟା ଗ୍ରୋଥ୍‌ ସପ୍‌ ଏହା ଡିଜାଇନ୍‌ ପ୍ରସ୍ତୁତ କରିଛି।