Categories: ଖେଳ

ଦୀପକ ପୁନିଆଙ୍କୁ ଅଲିମ୍ପିକ ଯୋଗ୍ୟତା

ନୁର-ସୁଲତାନ(କାଜାଖସ୍ତାନ),୨୧।୯: ଜୁନିୟର ବିଶ୍ୱ ଚାମ୍ପିୟନ ଦୀପକ ପୁନିଆ ୪ର୍ଥ ରେସଲର ଭାବେ ଟୋକିଓ ୨୦୨୦ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି। ଏଠାରେ ଚାଲିଥିବା ବିଶ୍ୱ ରେସଲିଂ ଚାମ୍ପିୟନଶିପର ୮୬ କେଜି ଓଜନ ବର୍ଗରେ ସେମିଫାଇନାଲରେ ପ୍ରବେଶ କରି ସେ ଏହି ସଫଳତା ପାଇଛନ୍ତି। ଶନିବାର ଅନୁଷ୍ଠିତ କଡ଼ା ସଂଘର୍ଷପୂର୍ଣ୍ଣ ବାଉଟ୍‌ରେ ଦୀପକ ୭-୬ ବ୍ୟବଧାନରେ କଲମ୍ବିଆର କାର୍ଲୋସ ଅର୍ଟୁରୋ ମେଣ୍ଡେଜଙ୍କୁ ହରାଇ ଦେଇଛନ୍ତି। ମୁକାବିଲା ଶେଷ ହେବାର ଗୋଟିଏ ମିନିଟ୍‌ ପୂର୍ବରୁ ଦୀପକ ୩-୬ ପଏଣ୍ଟରେ ପଛୁଆ ଥିଲେ। ପରେ ଅନ୍ତିମ ମୁହୂର୍ତ୍ତରେ ଭିନ୍ନ ମୁଭ ବଳରେ ଥରକେ ୪ ପଏଣ୍ଟ ପାଇ ମ୍ୟାଚ୍‌ ହାତେଇ ନେଇଥିଲେ। ସେ ଏବେ ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ସୁଇଜରଲାଣ୍ଡର ଷ୍ଟିଫାନ ରିଜମୁଥଙ୍କ ସହ ମୁକାବିଲା କରିବେ। ଅନ୍ୟ ଭାରତୀୟ ରେସଲର ରାହୁଲ ଆଓ୍ବାରେ ୬୧ କେଜି ବର୍ଗର ସେମିଫାଇନାଲରେ ପ୍ରବେଶ କରିଛନ୍ତି। କିନ୍ତୁ ଏହା ନନ୍‌ ଅଲିମ୍ପିକ୍‌ ଇଭେଣ୍ଟ। ପୂର୍ବରୁ ଭିନେଶ ଫୋଗତ, ଦୀପକ ପୁନିଆ ଓ ରବି ଡାହିୟା ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିଛନ୍ତି। ଅନ୍ୟପକ୍ଷରେ ଜିତେନ୍ଦର (୭୯ କେଜି) କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇଥିବାବେଳେ ମୌସମ ଖତ୍ରୀ ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି।

Share