Categories: ଖେଳ

ଦୀପକ ପୁନିଆ ନଂ ୧ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୨୭।୯(ପିଟି): ନିକଟରେ ଶେଷ ହୋଇଥିବା ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ଜିତିଥିବା ଦୀପକ ପୁନିଆ ୮୬ କେଜି ଓଜନ ବର୍ଗର ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷସ୍ଥାନ ହାସଲ କରିଛନ୍ତି। କିନ୍ତୁ ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ ନଂ୧ ର଼୍ୟାଙ୍କ ହରାଇଛନ୍ତି ବୋଲି ୟୁନାଇଟେଡ୍‌ ଓ୍ବାଲର୍‌ଡ ରେସଲିଂ (ୟୁଡ୍‌ବ୍ଲ୍ୟୁଡ୍‌ବ୍ଲ୍ୟୁ) ପକ୍ଷରୁ ଶୁକ୍ରବାର ପ୍ରକାଶ ପାଇଥିବା ନୂଆ ର଼୍ୟାଙ୍କିଙ୍ଗ୍‌ ଦର୍ଶାଇଛି। କ୍ୟାରିୟରରେ ପ୍ରଥମ ଥର ବିଶ୍ୱ ଚାମ୍ପିୟନଶିପରେ ଅଂଶଗ୍ରହଣ କରିଥିବା ଦୀପକ ଗୋଇଠିଜନିତ ସମସ୍ୟା କାରଣରୁ ଇରାନ କିମ୍ବଦନ୍ତୀ ହାସାନ ୟାଜଦାନିଙ୍କ ବିପକ୍ଷ ଫାଇନାଲରୁ ଓହରି ଯାଇଥିଲେ। ଏଥିଯୋଗୁ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ଏଥିପୂର୍ବରୁ ସେ ଏସିଆନ ଚାମ୍ପିୟନଶିପରେ ବ୍ରୋଞ୍ଜ ଓ ୟାସାର ଦୁଗୁରେ ରୌପ୍ୟ ପଦକ ଜିତିଥିଲେ। ମୋଟ ୮୨ ପଏଣ୍ଟ ସହ ପୁନିଆ ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ବିଶ୍ୱ ଚାମ୍ପିୟନ ୟାଜଦାନି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଉଭୟଙ୍କ ମଧ୍ୟରେ ୪ ପଏଣ୍ଟର ବ୍ୟବଧାନ ରହିଛି। ଅନ୍ୟପକ୍ଷରେ ନଂ ୧ ର଼୍ୟାଙ୍କଧାରୀ ରେସଲର ଭାବେ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିବା ବଜରଙ୍ଗ ବ୍ରୋଞ୍ଜ ପଦକ ହାତେଇଥିଲେ। ଏଥିଯୋଗୁ ତାଙ୍କ ମାନ୍ୟତା ଦ୍ୱିତୀୟ ସ୍ଥାନକୁ ଖସିଛି। ୬୫ କେଜି ବର୍ଗରେ ବିଶ୍ୱ ଚାମ୍ପିୟନଶିପ୍‌ ସ୍ବର୍ଣ୍ଣ ପଦକ ଜିତିଥିବା ୨୫ ବର୍ଷୀୟ ରୁଷିଆର ଗାଜିମୁରାଦ ରାଶିଦୋଭ ୬୩ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ଏହାବାଦ୍‌ ୫୭ କେଜି ବର୍ଗରେ ରବି ଦାହିୟା ଟପ୍‌ ୫ରେ ପ୍ରବେଶ କରିଛନ୍ତି। ମହିଳାଙ୍କ ମଧ୍ୟରେ ୫୩ କେଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭିନେଶ ଫୋଗତ ଦ୍ୱିତୀୟ ସ୍ଥାନ ପାଇଛନ୍ତି।

Share