ଦୀପାବଳିରେ ରିଲିଜ ହେବ ତିନୋଟି ବଡ଼ ଫିଲ୍ମ, ଅକ୍ଷୟ-ରାଜକୁମାରଙ୍କ ମଧ୍ୟରେ ହୋଇପାରେ ଟକ୍କର

ମୁମ୍ବାଇ: ଚଳିତ ବର୍ଷ ଦୀପାବଳିରେ ରିଲିଜ ହେବାକୁ ଯାଉଛି ବଲିଉଡ୍‌ର ତିନୋଟି ବଡ଼ ଫିଲ୍ମ। ଏଥିରେ ରହିଛି। ଅକ୍ଷୟ କୁମାରଙ୍କ ‘ହାଉସ୍‌ଫୁଲ-୪’, ତାପସୀ ପନ୍ନୁ-ଭୂମି ପେଡନେକର ଅଭିନୀତ ‘ସାଣ୍ଢ କି ଆନ୍ଖ’ ଏବଂ ରାଜକୁମାର ରାଓ ଅଭିନୀତ ‘ମେଡ ଇନ୍‌ ଚାଇନା’। ତିନୋଟିଯାକ ଫିଲ୍ମକୁ ନେଇ ଏବେଠାରୁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ଥିବା ବେଳେ ରିଲିଜ ପରେ ଅକ୍ଷୟ-ରାଜକୁମାରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି କୁହାଯାଉଛି।

‘ହାଉସ୍‌ଫୁଲ-୪’ର ଟ୍ରେଲର ରିଲିଜ ହେବା ଦିନଠାରୁ ପ୍ରଶଂସକମାନେ ଏହାକୁ ପସନ୍ଦ କରୁଛନ୍ତି। ଫିଲ୍ମରେ ଅକ୍ଷୟଙ୍କ ବ୍ୟତିତ ବବି ଦଓ୍ବେଲ, କୃତି ଶାନନ୍‌, ରିତେଶ ଦେଶମୁଖ, ଚଙ୍କି ପାଣ୍ଡେ, କୃତି ଖରବନ୍ଦା ଏବଂ ପୂଜା ହେଗଡେ ପ୍ରମୁଖ କଳାକାର ନଜର ଆସିବେ। ଏହାଛଡ଼ା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନବାଜୁଦ୍ଦିନ ସୀଦ୍ଧକୀ କାମ କରଛନ୍ତି। ଫିଲ୍ମଟି ବିଶେଷକରି ପୁର୍ନଜନ୍ମ ଉପରେ ଆଧାରିତ ରହିଛି। ସେହିଭଳି ହରିଆଣାର ପ୍ରସିଦ୍ଧ ବନ୍ଧୁକଚାଳନାକାରୀ ଶୁଟର୍‌ ଦାଦିଙ୍କ ଉପରେ ନିର୍ମିତ ଫିଲ୍ମ ‘ସାଣ୍ଢ କି ଆନ୍ଖ’ ଦିପାବଳୀ ଅବସରରେ ରିଲିଜ ହେବ। ଏଥିରେ ପ୍ରକାଶି ତୋମର ଏବଂ ଚନ୍ଦ୍ରା ତୋମରଙ୍କ ଭୂମିକାରେ ତାପସୀ-ଭୂମିଙ୍କୁ ଦେଖିବାକୁ ମିଳିବ। ଫିଲ୍ମଯୋଗେ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଉଛନ୍ତି ତୁଷାର ହିରନନ୍ଦାନୀ। ସେହିଭଳି ଚଳଚ୍ଚିତ୍ରର ପ୍ରଯୋଜନା ଅନୁରାଗ କଶ୍ୟପ କରିଛନ୍ତି। ଏହା ମଧ୍ୟ ଦର୍ଶକଙ୍କ ମନ କିଣିବ ବୋଲି ନିର୍ମାତାମାନେ ଆଶା ରଖିଛନ୍ତି। ଏହାବ୍ୟତିତ ରାଜକୁମାର ରାଓଙ୍କ ‘ମେଡ ଇନ୍‌ ଚାଇନା’ ଏକ ହାସ୍ୟରସାତ୍ମକ ଫିଲ୍ମ। ଗୁଜରାଟର ଜଣେ ବ୍ୟବସାୟୀଙ୍କ ଜୀବନକାହାଣୀକୁ ମନୋରଞ୍ଜନଧର୍ମୀ କରାଯାଇଛି। ରାଜକୁମାରଙ୍କ ପୂର୍ବ ଫିଲ୍ମ ଭଳି ଏହା ଦର୍ଶକଙ୍କ ପସନ୍ଦ ଆସିବ ବୋଲି ଅନୁମାନ କରାଯାଉଛି।

Share