ଦୀପାବଳି ପରେ ପିସିସି ଗଠନ: ନିରଞ୍ଜନ

ଭୁବନେଶ୍ୱର, ୨୧।୧୦(ବ୍ୟୁରୋ): ଦୀପାବଳି ପରେ ପିସିସି ଗଠନ କରାଯିବ। ଏ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଦୀପାବଳି ପରେ ପିସିସି ଗଠନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯିବ। ଏ ନେଇ ଆସନ୍ତା ୨୪ ତାରିଖ କଂଗ୍ରେସ ଭବନରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ। ପର୍ଯ୍ୟବେକ୍ଷକ ଗସ୍ତ କରିଥିବା ୩୩ ସାଙ୍ଗଠନିକ ଜିଲାର ରିପୋର୍ଟ ଦେବେ। ପର୍ଯ୍ୟବେକ୍ଷକ ଉକ୍ତ ରିପୋର୍ଟକୁ ଏଆଇସିସି ନିକଟକୁ ପଠାଯିବ। ତେବେ ଅପେକ୍ଷାକୃତ ଛୋଟ କମିଟି ଗଠନ କରାଯିବ ବୋଲି ପିସିସି ସଭାପତି ପଟ୍ଟନାୟକ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଯାଜପୁରରେ ପିଇଓ ସ୍ମିତାରାଣୀ ପରିଡ଼ାଙ୍କ ମୃତ୍ୟୁ ଘଟଣାରେ କଂଗ୍ରେସ ବନ୍ଦ ଡାକରା ଦେବ ନାହିଁ ବୋଲି ସେ କହିଛନ୍ତି। ପିଇଓଙ୍କ ମୃତ୍ୟୁକୁ ନେଇ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ଘଟଣାର ସତ ବାହାର କରିବାକୁ ଭାଜପା ଓ କଂଗ୍ରେସ ଉଦ୍ୟମ କରୁଥିବାବେଳେ ଘଟଣା ଘୋଡାଇବା ପାଇଁ ବିଜେଡି ଉଦ୍ୟମ କରୁଛି ବୋଲି ନିରଞ୍ଜନ କହିଛନ୍ତି।

Share