ଦୀପାବଳି ପାଇଁ କମିଶନରେଟ ପୋଲିସର ନିର୍ଦ୍ଦେଶାନାମା ଜାରି: ରାତି ୮ରୁ ୧୦ଟା ପର୍ଯ୍ୟନ୍ତ ଫୁଟିବ ବାଣ

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ଦୀପାବଳି ପାଇଁ କମିଶନରେଟ ପୋଲିସ ପକ୍ଷରୁ ବୁଧବାର ନିର୍ଦ୍ଦେଶନାମା ଜାରି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଦୀପାବଳି ଦିନ ରାତି ୮ରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଯିବ। ୧୨୫ ଡେସିବଲ୍‌ରୁ ଅଧିକ ଶଦ୍ଦ କରୁଥିବା ବାଣର ବିକ୍ରି ଓ ଫୁଟାଇବା ପରେ ନିଷେଧାଦେଶ ଜାରି କରାଯାଇଛି। କେବଳ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କଠାରୁ ବାଣ କିଣିବାକୁ ପରାମର୍ଶ ଦିଆଯାଇଛି। ରେଶମ ଓ ପଶମ ବସ୍ତ୍ର ପିନ୍ଧି ବାଣ ନ ଫୁଟାଇବାକୁ କୁହାଯିବା ସହ ପାଖରେ ଆଶୁ ଚିକିତ୍ସା ବାକ୍ସ ରଖିବା ଆବଶ୍ୟକ। ସାମୂହିକ କାର୍ଯ୍ୟକ୍ରମ ଆୟୋଜନ କଲେ ଜନବସତିଠାରୁ ଦୂରରେ ଥିବା ଖୋଲା ପଡିଆରେ ବାଣ ଫୁଟାଇବା ଜରୁରୀ। ଚାଇନା ବାଣ ମାଳରେ ଫୁଟାଇବା ସମ୍ପୂର୍ଣ୍ଣ ନିଷେଧ ଥିବାବେଳେ ବାଣ ଫୁଟାଇବା ପରେ ଅବଶେଷଗୁଡିକୁ ପାଣିରେ ବୁଡାଇବା ଆବଶ୍ୟକ। ବାଣକୁ ହାତରେ ଧରି ନ ଫୁଟାଇବା ଓ ଅଗ୍ନି ସଂଯୋଗ ପରେ ନିରାପଦ ଦୂରତାରେ ନିଜକୁ ରଖିବାକୁ କୁହାଯାଇଛି। ସେହିପରି ହସ୍ପିଟାଲ, ଶିକ୍ଷା ଅନୁଷ୍ଠାନ, କୋର୍ଟ, ଧାର୍ମିକ ସ୍ଥାନ, କର୍ତ୍ତୃପକ୍ଷଙ୍କ ଦ୍ୱାରା ଘୋଷିତ ସମ୍ବେଦନଶୀଳ, ନୀରବ ଓ ନିଷିଦ୍ଧ ସ୍ଥାନରେ ବାଣ ଫୁଟାଇବା ସମ୍ପୂଣ୍ଣ ବର୍ଜନୀୟ। ନିରୀହ ପଶୁଙ୍କ ଉପରେ ଆତସବାଜି ପ୍ରୟୋଗ ନ କରିବା ଓ ଜରୁରୀ ପରିସ୍ଥିତିରେ ସହାୟତା ପାଇଁ ପୋଲିସ କଣ୍ଟ୍ରୋଲ ରୁମ୍‌ ନଂ.୧୦୦ କିମ୍ବା ଦମକଳ କେନ୍ଦ୍ର ନଂ.୧୦୧କୁ ଫୋନ କରୁବାକୁ କମିଶନରେଟ ପୋଲିସ ପରାମର୍ଶ ଦେଇଛି।

Share