ଦୀପାବଳି ପୂର୍ବରୁ କାହିଁକି ପାଳନ କରାଯାଏ ଧନତେରସ

ଆଲୋକର ପର୍ବ ଦୀପାବଳିକୁ ନେଇ ଘରେ ଘରେ ଆନନ୍ଦ ପରିଲକ୍ଷିତ ହୋଇଥାଏ। ତେବେ ଦୀପାବଳି ପୂର୍ବରୁ ଧନତେରସ ପାଳନ କରାଯିବାର ବିଧି ରହିଛି। ହେଲେ ଏହି ଧନତେରସ କାହିଁକି ପାଳନ କରାଯାଏ ସେ କଥା ହୁଏତ କେତେକେ ଜାଣି ନ ଥିବେ। କାର୍ତ୍ତିକ ଶୁକ୍ଳ ତ୍ରୟୋଦଶିରେ ଧନତେରସ ପାଳନ କରାଯାଇଥାଏ। ଏହିଦିନ ଧନ୍ବନ୍ତ୍ରରୀଙ୍କ ଜନ୍ମ ହୋଇଥିଲା ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଏହାକୁ ଧନତେରସ କୁହାଯାଏ। ଏହିଦିନ ମା’ ଲକ୍ଷ୍ମୀ ଓ କୁବେରଙ୍କ ପୂଜା କରାଯାଏ। ଏପରି କଲେ ଘରେ ଅଭାବ ରୁହେନାହିଁ ବୋଲି ବିଶ୍ୱାସ ରହିଛି। ତେବେ ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ, ଭଗବାନ ଧନ୍ବନ୍ତରୀ ଏହିଦିନ ସମୁଦ୍ର ମନ୍ଥନ ସମୟରେ ସୁନା କଳସ ନେଇ ପ୍ରକଟ ହୋଇଥିଲେ। ଆଉ ସେହି କଳସରେ ଥିବା ଅମୃତ ପାନ କରି ଦେବାତାମାନେ ଅମର ହୋଇ ଯାଇଥିଲେ। ଏହାର ୨ଦିନ ପରେ ମା’ଲକ୍ଷ୍ମୀଙ୍କର ପ୍ରକଟ ହୋଇଥିବା କୁହାଯାଏ। ତେଣୁ ଦୀପାବଳିର ୨ ଦିନ ପୂର୍ବରୁ ଧନତେରସ ପାଳନ କରାଯାଇଥାଏ। ଆହୁରି ମଧ୍ୟ କୁହାଯାଏ ଧନ୍ବନ୍ତରୀ ଦେବତାଙ୍କର ବୈଦ୍ୟ ଥିଲେ। ତେଣୁ ଧନ୍ବନ୍ତରୀଙ୍କୁ ପୂଜାକଲେ ଶରୀର ସୁସ୍ଥ ରହିଥାଏ।

Share